ସନ୍ଦିଗ୍ଧ ବ୍ୟାଗରୁ ବାହାରିଲା ପରିବା

ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ସୁଙ୍କି ସ୍ଥିତ ଦେଶମାତାଲି ମନ୍ଦିର ନିକଟସ୍ଥ କଲଭର୍ଟ ତଳେ ୨ଟି ବସ୍ତାରେ ଲ୍ୟାଣ୍ଡ ମାଇନ ଥିବା ନେଇ ଅଞ୍ଚଳବାସୀ ଦୀର୍ଘ ୪ଘଣ୍ଟା ଧରି ଆତଙ୍କିତ ଅବସ୍ଥାରେ ରହିଥିଲେ। ତେବେ ବସ୍ତା ଖୋଲାଯିବା ପରେ ଭିତରୁ ପନିପରିବା ବାହାରିବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳେ ବିଏସଏଫ ପକ୍ଷରୁ ସୁଙ୍କି ଅଞ୍ଚଳରେ କମ୍ବିଂ ଅପରେସନ ଚାଲିଥିଲା। ସୁଙ୍କି ସ୍ଥିତ ଦେଶମାତାଲି ମନ୍ଦିର ନିକଟରେ ଥିବା ଏକ କଲର୍ଭଟ ତଳେ ଦୁଇଟି ବସ୍ତା ପଡିଥିବା ଦେଖି ବିଏସଏଫ ଯବାନ ଏହା ଲ୍ୟାଣ୍ଡ ମାଇନ୍‌ ବୋଲି ସନ୍ଦେହ କରିଥିଲେ। କଲଭର୍ଟ ପାଖକୁ ସାଧାରଣ ଜନତାଙ୍କୁ ଯିବାକୁ ବାରଣ କରିଥିଲେ। ଖବର ପାଇ କୋରାପୁଟରୁ ବୋମା ନିଷ୍କ୍ରୟ ଦଳ ଓ ଲକ୍ଷ୍ମୀପୁର ବିଏସଏଫ କମାଣ୍ଡାଣ୍ଟ ଘଟଣାସ୍ଥଳରେ ପହଞ୍ଚି ବସ୍ତାଟିକୁ ଫିଟାଇବା ପରେ ଭିତରେ କୋବି ଓ ଟମାଟୋ ଆଦି ରହିଥିବା ଦେଖିବାକୁ ମିଳିଥିଲା। ସେହିପରି ସୁଙ୍କି ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ଓ ପଟାଙ୍ଗି ଆଇଆଇସି ଦେବ କୁମାର ଗମାଙ୍ଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ଫେବ୍ରୁଆରି ମାସରେ ସୁଙ୍କି ଠାରୁ ୩କିଲୋମିଟର ଦୂରରେ ଏକ କଲର୍ଭଟ ନିକଟରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ଘଟି ୮ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ଏହାପର ଠାରୁ ଅଞ୍ଚଳରେ ଲ୍ୟାଣ୍ଡ ମାଇନ୍‌ର ଆତଙ୍କ ରହିଛି।

ସମ୍ବନ୍ଧିତ ଖବର