ଚିକିତ୍ସାରେ ଅବହେଳା: ଆଖି ବୁଜିଲେ ପ୍ରସୂତୀ, ମା’ ଛେଉଣ୍ଡ ହେଲା ୩ ଦିନର ଶିଶୁ

ଶ୍ରୀରାମ ନଗରରେ ଉତ୍ତେଜନା, ତଦନ୍ତ ନିର୍ଦେଶ ଦେଲେ ସିଡିଏମଓ

ରାୟଗଡ଼ା: ରାୟଗଡ଼ା ମେଡ଼ିକାଲରେ ଭଲ ଥିଲେ। ଗୁରୁତର ଦର୍ଶାଇ କୋରାପୁଟ ସ୍ଥାନାନ୍ତର କଲେ। ରାସ୍ତାରେ ରକ୍ତ ସରିଯିବା କାରଣରୁ ଆମ୍ବୁଲାନସରେ ହିଁ ପ୍ରାଣବାୟୁ ଉଡ଼ିଗଲା। ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଗୁରୁତର ଅବସ୍ଥାରେ ଆଖି ବୁଜିଛନ୍ତି ରାୟଗଡ଼ା ବ୍ଲକ୍ ପିତାମହଲ ପଞ୍ଚାୟତ ଶ୍ରୀରାମନଗରର ପ୍ରସୂତୀ ଭାଗ୍ୟଲତା ପାଲକା (୨୯)। ଚିକିତ୍ସା ଅବହେଳା ଯୋଗୁ ଭାଗ୍ୟଲତାଙ୍କ ମୃତ୍ୟୁ ହୋଇଥିବା ଦାବିରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ପହଞ୍ଚି ବୁଝାଶୁଝା କରିବା ପରେ ଆଜି ଭାଗ୍ୟଲତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

ଅଭିଯୋଗ ପରେ ଘଟଣାର ତଦନ୍ତ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ମେଡ଼ିକାଲ୍ ସୁପରିଟେଣ୍ଡଣ୍ଟଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ। ଶ୍ରୀରାମନଗର ବାସିନ୍ଦା ରଘୁନାଥ ପାଲକାଙ୍କ ସ୍ତ୍ରୀ ଭାଗ୍ୟଲତା ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଗତ ୭ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପ୍ରସବ ବେଦନା ଅସହ୍ୟ ହେବା ପରେ ଡ୍ୟୁଟିରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଲତିକା ବେହେରା ଭାଗ୍ୟଲତାଙ୍କ ଚିକିତ୍ସା କରିଥିଲେ। ଅସ୍ତ୍ରୋପଚାର ପରେ ଭାଗ୍ୟଲତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମାଆ, ପୁଅ ଉଭୟ ସୁସ୍ଥ ଥିବାବେଳେ ବିଳମ୍ବିତ ରାତିରେ ଭାଗ୍ୟଲତାଙ୍କ ରକ୍ତସ୍ରାବ ହେବା ଯୋଗୁ ସେ ଅସୁସ୍ଥ ହୋଇ ପଡିଥିଲେ।

ଡାକ୍ତର ରକ୍ତ ଦେବା ପାଇଁ ପରାମର୍ଶ ଦେବା ପରେ ସକାଳେ ରାୟଗଡ଼ା ରକ୍ତ ଭଣ୍ଡାରରୁ ଭାଗ୍ୟଲତାଙ୍କୁ ଏକ ୟୁନିଟ୍ ରକ୍ତଦିଆଯାଇଥିଲା। ତେବେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ଭାଗ୍ୟଲତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରିଥିଲେ। ୮ ତାରିଖ ସକାଳ ୮ଟାରେ ଭାଗ୍ୟଲତାଙ୍କୁ ୧୦୮ ଆମ୍ବୁଲାନସ୍ ଯୋଗେ ରାୟଗଡ଼ାରୁ ସ୍ଥାନାନ୍ତର କରାଯାଇଥିଲା। ଗୁମ୍ମା ନିକଟରେ ଲାଗିଥିବା ରକ୍ତ ୟୁନିଟ୍ ଶେଷ ହୋଇଯିବା ପରେ ଭାଗ୍ୟଲତା ଅଧିକ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଭାଗ୍ୟଲତାଙ୍କୁ କୋରାପୁଟ ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ଗତକାଲି ସଂଧ୍ୟାରେ ଭାଗ୍ୟଲତାଙ୍କ ମୃତଦେହ ଶ୍ରୀରାମନଗରରେ ପହଞ୍ଚିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭାଗ୍ୟଲତାଙ୍କ ଶେଷକୃତ୍ୟ ନ କରି ଗ୍ରାମବାସୀ ରାସ୍ତା ଉପରେ ରଖି ଅସନ୍ତୋଷ ପ୍ରକାଶ କରିଥିଲେ। ସକାଳେ ଶେଷଖାଲ ପୁଲିସ୍ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ଭାଗ୍ୟଲତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଭାଗ୍ୟଲତାଙ୍କ ମୃତ୍ୟୁ ପରେ ୩ ଦିନର ପୁତ୍ର ସନ୍ତାନ ମା’ ଛେଉଣ୍ଡ ହୋଇ ପଡ଼ିଛି। ସ୍ବାମୀ ରଘୁନାଥଙ୍କ ସମେତ ପରିବାର ଲୋକ ଚିକିତ୍ସା ଅବହେଳା କାରଣରୁ ଭାଗ୍ୟଲତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର