ରାଜ୍ୟସଭା ନିର୍ବାଚନ: ତାରିଖ ଘୋଷଣା ପରେ ଲବି ଆରମ୍ଭ, ଭାସ୍କରଙ୍କ ପରେ ଅବିଭକ୍ତ କୋରାପୁଟରୁ କିଏ?

ଆଶାୟୀ ତାଲିକାରେ ୪ ଜିଲ୍ଲାର ଡ‌ଜନେରୁ ଉର୍ଦ୍ଧ୍ବ ନେତା, ଚର୍ଚ୍ଚାରେ ପ୍ରଦୀପ ମାଝୀ, ରବି ନନ୍ଦ, ସୁଧୀର ଦାଶଙ୍କ ନାଁ

ରାୟଗଡ଼ା: ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ଅବିଭକ୍ତ କୋରାପୁଟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ସାଂସଦ ଏନ୍. ଭାସ୍କର ରାଓଙ୍କ କାର୍ଯ୍ୟକାଳ ଜୁଲାଇ ୧ ତାରିଖରେ ଶେଷ ହେଉଥିବାରୁ ଭାସ୍କରଙ୍କ ସ୍ଥାନରେ ଦଳୀୟ ସୁପ୍ରିମୋ ଅବିଭକ୍ତ କୋରାପୁଟରୁ କାହାକୁ ଥଇଥାନ କରିବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଶାୟୀ ତାଲିକାରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ଡଜନେରୁ ଊର୍ଦ୍ଧ୍ବ ନେତା ରହିଛନ୍ତି। ତେବେ କାହା ଭାଗ୍ୟରେ ଏହି ମୁକୁଟ ପିନ୍ଧିବାର ସୌଭାଗ୍ୟ ଜୁଟିବ ନା ଅନ୍ୟ ଜିଲ୍ଲାର ନେତାଙ୍କୁ ସୁପ୍ରିମୋ ସୁଯୋଗ ଦେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।

ସାଂସଦ ଏନ୍. ଭାସ୍କର ରାଓ ୨୦୧୬ ମସିହାରେ ରାଜ୍ୟସଭାକୁ ଯାଇଥିଲେ। ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କଂଗ୍ରେସ ଗଡ଼ରେ ବିଜେଡ଼ି ସଂଗଠନକୁ ମଜଭୂତ କରିବା ସହ ଦଳକୁ କ୍ଷମତାକୁ ଆଣିବାରେ ଭାସ୍କରଙ୍କ କାର୍ଯ୍ୟ ଦକ୍ଷତାକୁ ଦେଖି ବିଜେଡ଼ି ସୁପ୍ରିମୋ ଶ୍ରୀ ରାଓଙ୍କୁ ରାଜ୍ୟସଭାକୁ ପଠାଇଥିଲେ। ଜୁଲାଇରେ ଭାସ୍କରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଭାସ୍କରଙ୍କ ସ୍ଥାନରେ ଦଳୀୟ ସଂଗଠନର ମଙ୍ଗ ଧରିବା ଭଳି ଜଣେ ଦକ୍ଷ ନେତାଙ୍କୁ ଦଳ ପୁଣି ଥରେ ସୁଯୋଗ ଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ବିଧାନସଭା ଆସନ ମଧ୍ୟରୁ ୧୩ ଆସନ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନେତାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କେବଳ ଜୟପୁର ବିଧାନସଭା ଆସନ ଅଣସଂରକ୍ଷିତ ରହିଛି। କିନ୍ତୁ ୧୪ ବିଧାନସଭା ଆସନରେ ଅଧିକାଂଶ ସାଧାରଣ ବର୍ଗର ନେତା ହିଁ ଶାସକ ବିଜେଡ଼ିର ସଂଗଠନ ସମ୍ଭାଳୁଥିବାରୁ ଦଳୀୟ ସୁପ୍ରିମୋ ଅବିଭକ୍ତ କୋରାପୁଟକୁ ରାଜ୍ୟସଭା ନିର୍ବାଚନରେ ଅଣଦେଖା ନ କରିପାରନ୍ତି। ଆଶାୟୀ ତାଲିକାରେ ସର୍ବାଗ୍ରେ ରହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଦୀପ ପିସିସି ରାଜ୍ୟ କାର୍ଯ୍ୟକାରୀ ସଭାପତି ପଦବି ଛାଡ଼ି ବିଜେଡ଼ିର ଯୋଗଦେଇଥିଲେ। ପଞ୍ଚାୟତ ନିର୍ବାଚନରେ ପ୍ରଦୀପ ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ବିଜେଡ଼ି ସଂଗଠନକୁ ସଜାଡ଼ି ଜିଲ୍ଲା ପରିଷଦ ଗଠନ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ସେହିପରି ପୌର ନିର୍ବାଚନରେ ମଧ୍ୟ ଉଭୟ ଜିଲ୍ଲାରେ ବିଜେଡ଼ି ଭଲ ପ୍ରଦର୍ଶନ କରିଥିଲା। ପ୍ରଦୀପ ବିଜେଡ଼ିରେ ସାମିଲ୍ ହେବା ପରଠୁ ରାଜ୍ୟସଭାକୁ ଯିବା ନେଇ ଚର୍ଚ୍ଚା ହେଉଥିବାରୁ ସୁପ୍ରିମୋଙ୍କ ଘୋଷଣା ଉପରେ ଏବେ ସଭିଁଙ୍କ ନଜର ରହିଛି। ସେହିପରି ପୂର୍ବତନ ମନ୍ତ୍ରୀ ତଥା ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ନବୀନଙ୍କ କ୍ୟାବିନେଟରେ ରବି ନନ୍ଦ ଦୁଇ ଥର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି। କିନ୍ତୁ ୨୦୧୪, ୨୦୧୯ ନିର୍ବାଚନରେ ପରାଜିତ ଯୋଗୁ ରବି ନନ୍ଦ କ୍ଷମତାରୁ ବାହାରେ ଅଛନ୍ତି।

ରବିଙ୍କ ସ୍ଥାନରେ କଂଗ୍ରେସର ତାରା ପ୍ରସାଦ ବାହିନୀପତି ଜୟପୁରରୁ ବିଜୟୀ ହୋଇ ଆସୁଥିବା ବେଳେ ପୁଣି ଅବିଭକ୍ତ କୋରାପୁଟରେ କଂଗ୍ରେସ ସଂଗଠନ ଦାନା ବାନ୍ଧିବାରେ ଲାଗିଛି। ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ସମୟରେ କୋରାପୁଟ ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ କଂଗ୍ରେସର ସପ୍ତଗିରି ଉଲାକା ବିଜୟୀ ହେବା ଏହାର ବଡ଼ ଉଦାହରଣ। କଂଗ୍ରେସକୁ ଚେକ୍ ଦେବା ପାଇଁ ସୁପ୍ରିମୋ ରବିଙ୍କ ଉପରେ ଭରସା କରିବା ନେଇ ଦଳୀୟ ନେତା ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ରାୟଗଡ଼ା ଜିଲ୍ଲାରୁ ମଧ୍ୟ ରାଜ୍ୟସଭା ରେସରେ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାଶଙ୍କ ନାଁ ରହିଛି। କଂଗ୍ରେସ ଗଡ଼ ରାୟଗଡ଼ା ବିଧାନସଭାରୁ ଲାଲ୍ ବିହାରୀ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଦୁଇ ଥର କ୍ୟାବିନେଟ୍ ମନ୍ତ୍ରୀ ସହ ଉପବାଚସ୍ପତି ଦାୟିତ୍ବ ତୁଲାଇଛନ୍ତି। ସେହିପରି ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ ମଧ୍ୟ ଆଶାୟୀ ଅଛନ୍ତି। ବିଷମକଟକ, ଗୁଣପୁର ନିର୍ବାଚନ ମଣ୍ଡଳୀରେ ସୁଧୀରଙ୍କ ନେତୃତ୍ବରେ ଦଳ ୨୦୧୪ରୁ ଲଗାତାର ଭାବେ ବିଜୟୀ ହୋଇ ଆସୁଛି। ଆସୁଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ କଂଗ୍ରେସ ହାତକୁ ଯାଇଥିବା ବେଳେ ଚଳିତ ନିର୍ବାଚନରେ ତାହା ବିଜେଡ଼ି ଦଖଲକୁ ଆସିଛି। ତେବେ ଆଶାୟୀଙ୍କୁ ଛାଡ଼ି ଦଳ ପୁଣି ଥରେ ଭାସ୍କରଙ୍କ ଉପରେ ଭରସା କରିବା ନେଇ ମଧ୍ୟ ବିଜେଡ଼ି ମହଲରେ ଗୁଞ୍ଜରଣ ହେଉଛି।

ସମ୍ବନ୍ଧିତ ଖବର