କଲେଜ ଛାତ୍ରୀଙ୍କୁ ଗର୍ଭବତୀ କରିବା ମାମଲା: ଅଧ୍ୟାପକଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଯାଜପୁର: କଲେଜ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗଭର୍ବତୀ କରିବା ଓ ପରେ ବିବାହ ପାଇଁ ଅରାଜି ହେବା ମାମଲାର ରାୟ ପ୍ରକାଶ କରି ଯାଜପୁର ଜିଲ୍ଲା ଜଜ୍ କଲେଜ ଅଧ୍ୟାପକଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବଡଚଣା ଥାନା ଶକୁନ୍ତଳାପୁର ଗ୍ରାମର ନବ କିଶୋର ରଣା ସ୍ଥାନୀୟ ଏକ ମହିଳା କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୬ ମସିହାରେ ସେହି କଲେଜରେ ପାଠପଢ଼ୁଥିବା ବୈରୀ ଥାନା କଇଁଟିପୋଖରୀ ଅଞ୍ଚଳର ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀ ଅଧ୍ୟାପକଙ୍କ ଘରକୁ ଟିଉସନ ହେବାକୁ ଯାଉଥିଲେ। ସେଠାରେ ଅଧ୍ୟାପକ ନିଜେ ବିବାହିତ ହୋଇଥିଲେ ମଧ୍ୟ ଛାତ୍ରୀ ଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ତାଙ୍କୁ ଗର୍ଭବତୀ କରିଥିଲେ। ପରେ ଛାତ୍ର ଜଣକ ଗର୍ଭବତୀ ହେବା ପରେ ଏନେଇ ମା’ଙ୍କୁ ଜଣାଇଥିଲା। ଛାତ୍ରୀଙ୍କ ମାଆ ଏ ନେଇ ଅଧ୍ୟାପକଙ୍କୁ ପଚାରିବାକୁ ଅଧ୍ୟାପକ ଜଣକ ଘଟଣାକୁ ସଫା ମନା କରି ଦେଇଥିଲେ। ଫଳରେ ଛାତ୍ରୀଙ୍କ ମା’ ଲୋକଲଜ୍ଜା  ସହିନପାରି ଆତ୍ମହତ୍ୟା କରି ଦେଇଥିଲେ।

ତେବେ ଏ ନେଇ ବଡଚଣା ଥାନାରେ ୨୦୧୬ ମସିହା ସେପ୍ଟେମ୍ବର ୧୦ ତାରିଖରେ ଅଭିଯୋଗ ହୋଇଥିଲା। ପୁଲିସ କେସ ନଂ ୧୪୬/୨୦୧୬ରେ ମାମଲା ରୁଜୁ କରି ଅଧ୍ୟାପକଙ୍କୁ ଗିରଫ କରିଥିଲା। ସେହି ଘଟଣାରେ ଆଜି ମାନ୍ୟବର ଜିଲ୍ଲା ଜଜ୍ ଶ୍ରୀକାନ୍ତ ମିଶ୍ର ୧୫ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଆସାମୀ ନବ କିଶୋର ରଣାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା ଅନାଦେୟ ୩ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ସମରେନ୍ଦ୍ର ଦାସ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର