ମୟୂରଭଂଜ: ସାତ ମାସରେ ୨୫ ଦୁର୍ଘଟଣା ଓ ୪ ମୃତ ପରେ ଜାତୀୟ ରାଜପଥକୁ ବନ୍ଦ କଲେ ଜନସାଧାରଣ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ଵାରଶୁଣୀ ଘାଟୀରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜନସାଧାରଣ ତାତିଛନ୍ତି। ଲୋକେ ସୋମବାର ଜାତୀୟ ରାଜପଥ ନମ୍ବର ୪୯ ବିଶୋଇ- ଝାରପୋଖରିଆ ବଂଦ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।

ଦୁର୍ଘଟଣାର କାରଣ ଖୋଜିଲେ ବହୁ ଦିଗ ପ୍ରତି ଦୃଷ୍ଟି ଦେବା ପାଇଁ ପଡିବ। ପ୍ରଥମେ ରାସ୍ତାର ନିର୍ମାଣ ଶୈଳୀ ନିଶ୍ଚିତ ଭୂଲ ରହିଛି। ଅଙ୍କା ବଙ୍କା ରାସ୍ତା ସହିତ ହଠାତ ଉଠାଣି ଓ ଗଡାଣି ରାସ୍ତା ଅନ୍ୟ ଏକ କାରଣ ହୋଇପାରେ। ସେହିପରି ପର୍ଯ୍ୟାପ୍ତ ପରିମାଣର ସୂଚନା ଫଳକ ନ ଥିବାରୁ ୯ କିଲୋମିଟର ବ୍ୟାପୀ ଘାଟୀ ରାସ୍ତା ଡ୍ରାଇଭର ଜାଣି ପାରନ୍ତି ନାହିଁ। ଅତ୍ୟଧିକ ବ୍ରେକ ମାରିବା ଯୋଗୁଁ ବ୍ରେକସୋ ଫୋଡି ଯିବା ଅଥବା ଜାମ ହେବା ପାଇଁ ଅତ୍ୟଧିକ ଦୁର୍ଘଟଣା ଘଟୁଛି ବୋଲି ବହୁ ଡ୍ରାଇଭର କହିଛନ୍ତି।

ଦ୍ରୁତ ଗତି, ନିଶା ଖାଇ ଗାଡି ଚଳାଇବା, ସଂକୀର୍ଣ୍ଣ ରାସ୍ତା, ସୁରକ୍ଷା ବାଡ ସୁଦୃଢ଼ ନହେବା, ପୁଲିସ ଓ ଆରଟିଓଙ୍କ ଚେକିଂଗକୁ ଦିନ ବେଳେ ଫାଙ୍କିବା ପାଇଁ ବେଳେ ରାତିରେ ଦ୍ରୁତଗତିରେ ଗାଡି ଚଳାଇ ଦୁର୍ଘର୍ଟଣା ହେଉଥିବା ଜଣାପଡିଛି। ବାଙ୍ଗିରିପୋଷି ବଜାରର ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଓ ଦଶ ଜଣ ଆହତ ଘଟଣାକୁ ସହଜରେ ବାଙ୍ଗିରିପୋଷିବାସୀ ପାଶୋରୀ ପାରୁନାହାନ୍ତି। ପ୍ରଶାସନ ଯଦି ତୁରନ୍ତ ପଦକ୍ଷେପ ନ ନିଏ ଜନ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି। ଉତ୍ତେଜିତ ଲୋକେ ଆଜି ଘାଟୀକୁ ଦୀର୍ଘ ସମୟ ଧରି ବନ୍ଦ କରିଛନ୍ତି। ଫଳରେ ଶହ ଶହ ଗାଡ଼ି ଛିଡା ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର