ବ୍ୟାଙ୍କରୁ ଟଙ୍କା ଲୁଟ୍‌ ଉଦ୍ୟମ ପଣ୍ଡ, ତଦନ୍ତ କଲା ସାଇଣ୍ଟିଫିକ୍ ଟିମ୍

ରାଇରଙ୍ଗପୁର/ବହଳଦା: ବ୍ୟାଙ୍କର କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ଭିତରେ ପଶିଥିଲେ। ଚାବି କାଟିବା ସହ ଲକର ଖୋଲିବାକୁ ଉଦ୍ୟମ କରିଥିଲେ। ହେଲେ ହଠାତ୍‌ ସାଇରନ୍‌ ବାଜି ଉଠିଲା। ଫଳରେ ‌ସେମାନେ ସେଠାରୁ ଖସିପଳାଇଛନ୍ତି। ଟଙ୍କା ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗିଦିଘାଟିଠାରେ।

ତିରିଂ ଥାନା ଅନ୍ତର୍ଗତ ଗିଦିଘାଟିଠାରେ କାନାରା ବ୍ୟାଙ୍କର ଏକ ଶାଖା ରଖିଛି। ଗତକାଲି ରାତିରେ ୨୦ରୁ ୨୫ ବର୍ଷ ବୟସର ଦୁଇଜଣ ଯୁବକ ଟଙ୍କା ଲୁଟ୍‌ ଲକ୍ଷ୍ୟରେ ବ୍ୟାଙ୍କର ପଛପଟ କାନ୍ଥ ଭାଙ୍ଗି ଭିତରେ ପଶିଥିଲେ। ପରେ ସେମାନେ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ଲାଗିଥିବା ୪ଟି ତାଲା କାଟିଥିଲେ। ଲକର ଭାଙ୍ଗିବା ବେଳେ ହଠାତ୍‌ ସାଇରନ୍‌ ବାଜିଥିଲା। ଫଳରେ ଦୁର୍ବୃତ୍ତମାନେ ଭୟରେ ସେଠାରୁ ପଳାଯାଇଥିଲେ। ବ୍ୟାଙ୍କ ପ୍ରବନ୍ଧକ ରଜତ କୁମାର ସୋରେନଙ୍କଠାରୁ ଖବର ପାଇ ତିରିଂ ଥାନା ଅଧିକାରିଣୀ ରଞ୍ଜୁ ହାସିନା କୁଲ୍ଲୁ ଓ ଝରାଡ଼ିହି ଫାଣ୍ଡି ଅଧିକାରୀ ଦୁଃଖବନ୍ଧୁ ନାୟକ ସଦଳବଳେ ପହଂଚିଥିଲେ। ପରେ ବାରିପଦା ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସଂଧାନୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌ରେ ଦୁଇଜଣ ଦୁର୍ବୃତ୍ତଙ୍କ ଚିତ୍ର ଥିବା ‌ବେଳେ ତାହା ଜବତ ହୋଇଛି। ସେହିପରି କାନ୍ଥ ଭାଙ୍ଗିବା ପାଇଁ ବ୍ୟବହୃତ ହାତୁଡ଼ି ଓ ଛେଣି ସହ ଏକ ଗ୍ଲୋଭ୍‌ସକୁ ମଧ୍ୟ ଜବତ କରାଯାଇଛି। ତେବେ ଏଯାଏ ଦୁର୍ବୃତ୍ତଙ୍କ ବାବାଦରେ କୌଣସି ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର