ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ମାମଲା : ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫଦାରୀ ଓ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି

ବିଜେପି ପକ୍ଷରୁ ଏସ୍ପି ଅଫିସ ଘେରାଉ

ବାରିପଦା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ଆଜି ତାତିଛି ବିଜେପି। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ସହିତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଏବଂ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ ଦାବିରେ ଆଜି ବିଜେପି ମୟୂରଭଞ୍ଜ ପୂର୍ବ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ(ଏସପି)ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।

ଜିଲ୍ଲା ସଭାପତି କାନ୍ଦ୍ରା ସୋରେନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଦଳର ଶତାଧିକ ନେତା, କର୍ମୀ ଓ ସମର୍ଥକ ଏକ ଶୋଭାଯାତ୍ରାରେ ଆସି ଏସପି ଅଫିସ ସମ୍ମୁଖରେ ପହଞ୍ଚିଥିଲେ । ଏହି ଅବସରରେ ବିଧାୟକ ପ୍ରକାଶ ସୋରେନ, ଭାସ୍କର ମଢ଼େଇ, ବିଧାୟକ ବୁଢ଼ାନ ମୁର୍ମୁ, ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ନିହାର ମୋଦି, ପ୍ରମିଳା ପଣ୍ଡା ପ୍ରମୁଖ ରାଜ୍ୟର ବିପର୍ଯ୍ୟସ୍ତ ଆଇଶୃଙ୍ଖଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିବା ସହିତ ମନ୍ତ୍ରୀ ପ୍ରତାପ ଜେନାକୁ ଅବିଳମ୍ବେ ଗିରଫ ଓ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିଥିଲେ।

ବିଜେପି ନେତାଙ୍କ ହତ୍ୟାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରିବାକୁ ଦାବି ହୋଇଥିଲା। ଆସନ୍ତାକାଲି ଏ ନେଇ ଦଳ ପକ୍ଷରୁ ପୁଲିସ୍ ଡିଜି କାର୍ଯ୍ୟାଳୟ ଘେରାଉ କରାଯିବା ନେଇ ନେତାମାନେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁମନ ସିଂ, ଶୋଭାବତୀ ଓତା, ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାୟକ, ଜିଲ୍ଲା ମୁଖପାତ୍ର କବି ବିଷ୍ଣୁ ଶତପଥୀ, ରାଜକିଶୋର ସାହା, ଯୁବ ମୋର୍ଚ୍ଚା ସଭାପତି କୁମାର ମଙ୍ଗଳମ, ନିରଞ୍ଜନ ଦାଶ, ବିଜୟ ଦାସ, ପ୍ରବୀଣ କୁମାର ପାତ୍ର, ପରେଶ ଚନ୍ଦ୍ର ମହାନ୍ତ, ପାୟଲ ରାୟ, ମମତା ସାହୁ, ସୁବ୍ରତ ମୁଖୀ, ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର