କରୋନା କଟକଣା: ମକର ସଂକ୍ରାନ୍ତିରୁ ବନ୍ଦ ରହିବ ମଝିଘରିଆଣୀ ମନ୍ଦିର, ନିରାଶ ହେବେ ଲକ୍ଷାଧିକ ଭକ୍ତ

ରାୟଗଡ଼ା: ତୃତୀୟ ଲହରୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ମକର ସଂକ୍ରାନ୍ତିରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ କଟକଣା ଜାରି କରିଛି। ଏ ନେଇ ଆଜି ମନ୍ଦିର ଟ୍ରଷ୍ଟ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଉଛି। ଭୋଗି, ମକର, ପୋଙ୍ଗଲରେ ମଝିଘରିଆଣୀଙ୍କ ମନ୍ଦିରକୁ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଆନ୍ଧ୍ରପ୍ରଦେଶ ସମେତ ଅବିଭକ୍ତ କ‌ୋରାପୁଟ ଓ ଅନ୍ୟ ଜିଲ୍ଲାରୁ ଆସିଥାନ୍ତି। ପ୍ରବଳ ଭିଡ଼ ଦୃଷ୍ଟିରୁ ପ୍ରଶାସନ ମନ୍ଦିର ବନ୍ଦ ରଖିବାକୁ ପଦକ୍ଷେପ ନେଇଛି। କେବଳ ସେବାୟତ ମା’ଙ୍କ ରୀତିନୀତି କରିବାକୁ ମନ୍ଦିର ଭିତରେ ପ୍ରବେଶ କରିପାରିବେ। ଫେବ୍ରୁଆରୀ ୧ ତାରିଖ ପରେ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ମନ୍ଦିର ଖୋଲିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟ ବୋର୍ଡ କହିଛି। ତେଲୁଗୁ ସଂପ୍ରଦାୟର ମୁଖ୍ୟ ପର୍ବ ଭୋଗି, ମକର, ପୋଙ୍ଗଲ ହୋଇଥିବା ବେଳେ ଏହି ଦିନରେ ମନ୍ଦିର ବନ୍ଦ ରହିବା ଲକ୍ଷାଧିକ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି। ତେବେ ତୃତୀୟ ଲହରୀ ସଂକ୍ରମଣ କମିବା ପରେ ହିଁ ମନ୍ଦିର ଖୋଲିବା ନେଇ ଆଶଙ୍କା ପ୍ରକାଶ ପାଇଛି। କରୋନାର ପ୍ରଥମ ଓ ଦ୍ବିତୀୟ ଲହରୀରେ ମଧ୍ୟ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ମଝିଘରିଆଣୀ ମନ୍ଦିର ବନ୍ଦ ରଖିଥିଲା।

କରୋନା ତୃତୀୟ ଲହରୀରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ଜିଲ୍ଲାରୁ ସର୍ବାଧିକ ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡ଼ା ସହରାଞ୍ଚଳରୁ ସର୍ବାଧିକ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ା ଗ୍ରାମାଞ୍ଚଳରୁ ୨୧, କୋଲନରାରୁ ୧୯, କାଶୀପୁରରୁ ୧୩, ବିଷମକଟକରୁ ୬, ରାମନାଗୁଡାରୁ ୪, ପଦ୍ମପୁରରୁ ୩, ଗୁଣପୁର ଗ୍ରାମାଞ୍ଚଳରୁ ୩, ସହରାଞ୍ଚଳରୁ ୩, କଲ୍ୟାଣସିଂହପୁରରୁ ୩, ମୁନିଗୁଡ଼ାରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଗୁଡ଼ାରି ବ୍ଲକକୁ ଛାଡ଼ିଲେ ଆଜି ଜିଲ୍ଲାର ଅନ୍ୟ ୧୦ ବ୍ଲକରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୦ କୋଭିଡ଼ ଯୋଦ୍ଧା ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ୮, ରାଜସ୍ବ ବିଭାଗର ଜଣେ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଜଣେ ଅଧିକାରୀ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୪୪ ସଂକ୍ରମିତ ହୋଇଛନ୍ତି। ୧୧୬ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରୁ ଆଜି ସୁଦ୍ଧା ୨୦ ହଜାର ୬୪୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦ ହଜାର ୮୭ ସୁସ୍ଥ ହୋଇଛନ୍ତି। ୩୯୨ ଆକ୍ଟିଭ୍ କେସ ଥିବାବେଳେ ୧୬୯ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର