ମାଲକାନଗିରି :  ପୌର ନିର୍ବାଚନ ପାଇଁ ୮ ଜଣ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ଚୁଡାନ୍ତ ତାଲିକା ଘୋଷିତ

ମାଲକାନଗିରି : ମାଲକାନଗିରି ପୌର ନିର୍ବାଚନର ଆଜି ଥିଲା ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ।ଆଜି ଜଣେ ମାତ୍ର ପୌରାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି।ତେବେ ଚୁଡାନ୍ତ ତାଲିକାରେ କେଶବ ଚନ୍ଦ୍ର ନାୟକ(ସାଇକେଲ ଚିହ୍ନ)ବାବୁଲି ମାଢି(ବାଳକବାଳିକା ଚିହ୍ନ),ମନୋଜ କୁମାର ପାଢୀ(ନଗରା ଚିହ୍ନ),ମନୋଜ କୁମାର ସାହୁ(ଲଣ୍ଠନ ଚିହ୍ନ),ମନୋଜ ବାରିକ(ଶଂଖ ଚିହ୍ନ), ଶିବ ପ୍ରସାଦ ମିଶାଲ(ହାତୀ ଚିହ୍ନ),ଶ୍ୟାମଳ ସୁନାନୀ(ପଦ୍ମ ଚିହ୍ନ) ଏବଂ ଜି.ଶ୍ରୀନିବାସ ରାଓ(ହାତ ଚିହ୍ନ)ଙ୍କ ନାମ ପ୍ରକାଶ ପାଇଛି।ସେହିପରି ସମସ୍ତ ୧୯ଟି ଵାର୍ଡର କାଉନସେଲରମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଛି ।

ମାଲକାନଗିରି ପୌର ପରିଷଦ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଏହି ସଂଖ୍ୟା ଆହୁରି ଅଧିକା ହେବାର ଥିଲା।କିନ୍ତୁ ବିଶେଷକରି ତିନି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହେବାକୁ ଥିବାରୁ ଅନ୍ୟମାନେ ଏଥିରୁ ଓହରି ଯାଇଥିଲେ।ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ୨୬ ତାରିଖେ ଭୋଟ ଗଣତି ନେଇ ତାରିଖ ଘୋଷଣା କରାଯାଇଛି । ତେବେ ଏଥର ତିନି ପ୍ରମୁଖ ଦଳର ଜଣେ ଜଣେ ନାମିଦାମୀ ନେତା ଛିଡା ହୋଇଥିବାରୁ ଲୋକେ ଏବେ ଚିନ୍ତାରେ ପଡିଯାଇଛନ୍ତି।ସେହିପରି ସ୍ବାଧୀନରେ ମଧ୍ୟ କିଛି ସମାଜସେବୀ ନିଜକୁ ଏହି ପଦବୀ ପାଇଁ ଦାବିଦାର ଘୋଷିତ କରୁଛନ୍ତି।ଲୋକେ ଯାହାକୁ ଉତ୍ତମ ଭାବିବେ ତାକୁ ହିଁ ଭୋଟ ଦେବେ।ତେଣୁ ଲଢେଇ ଜୋରଦାର ହେବ ବୋଲି ଏବେ ଠାରୁ ରାଜନୈତିକ ବିଶେଷଜ୍ଞମାନେ କହିସାରିଲେଣି । ଯିଏ ବି ଜିତିବ ଅଳ୍ପ ଭୋଟରେ ହିଁ ବିଜୟୀ ହେବ ବୋଲି ମଧ୍ୟ ଆଲୋଚନା କରାଯାଉଛି।ବିଜେଡି ତାର ସମସ୍ତ ଵାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଦୁଇଟି ଵାର୍ଡରେ ପ୍ରାର୍ଥୀ ଦେଇପାରି ନାହିଁ।ସେହିପରି କଂଗ୍ରେସ ଗୋଟିଏ ଵାର୍ଡରେ ପ୍ରାର୍ଥୀ ଦେଇପାରି ନାହିଁ । ପୌର ନିର୍ବାଚନ ଘୋଷଣା ହେବା ଠାରୁ ହିଁ ବିଭିନ୍ନ ଵାର୍ଡରେ ଲୋକେ ଘରଡିହ ପଟ୍ଟା ପାଇଁ ଦାବି କରିଆସୁଛନ୍ତି।ଯେଉଁ ଦଳ ଏହି ଦାବିକୁ ପୂରଣ କରିବ ସେ ସହଜରେ ବିଜୟୀ ହେବ ବୋଲି କୁହାଯାଉଛି।ପୌର ପରିଷଦରେ ସେଭଳି କୌଣସି ସମସ୍ୟା ନଥିବା ବେଳେ ଘରଡିହ ପଟ୍ଟା ହିଁ ସବୁଠାରୁ ବଡ ସମସ୍ୟା ରହିଛି।ଆସନ୍ତା କାଲି ଠାରୁ ସମସ୍ତ ଵାର୍ଡରେ କାଉନସେଲର ସହ ପୌରାଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପ୍ରଚାର ଜୋର ଧରିବ।ତିନି ପ୍ରମୁଖ ଦଳର ହେବିଵେଟ ପ୍ରଚାରକମାନେ ମଧ୍ୟ ଯୋଗ ଦେବାର ସମ୍ଭାବନା ରହିଛି । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ତିନି ଦଳ ବିଭିନ୍ନ ପ୍ରକାର ଯୋଜନା କରିବେ ବୋଲି କୁହାଯାଇଛି।ତେବେ ନିର୍ବାଚନ କମିଶନ ଏମାନଙ୍କ ଉପରେ ତିକ୍ଷଣ ନଜର ରଖିଛନ୍ତି।ତେବେ ଚଳିତ ପୌର ନିର୍ବାଚନରେ କିଏ ଅଧ୍ୟକ୍ଷ ପଦବୀକୁ ହାତେଇବ ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର