ସଡ଼କ ସୁରକ୍ଷା ଦେଉଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପରେ ବୋମା ମାଡ଼

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ନିକଟରେ ସୋମବାର ନକ୍ସଲମାନେ ବୋମା ବିସ୍ଫୋରଣ ଘଟାଇଛନ୍ତି। ସଂପୃକ୍ତ ଅଞ୍ଚଳରେ ସଡ଼କ ସୁରକ୍ଷା ଦେଉଥିବା ବେଳେ ସୁରକ୍ଷାକର୍ମୀମାନଙ୍କ ଉପରକୁ ନକ୍ସଲମାନେ ବୋମା ମାଡ଼ କରିଛନ୍ତି। ଏହି ବୋମା ମାଡ଼ରେ ୨୩୧ ସିଆର୍‌ପିଏଫ୍‌ ବ୍ୟାଟାଲିୟନ୍‌ର ଇନ୍‌ସ୍ପେକ୍ଟର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଇନ୍‌ସ୍ପେକ୍ଟର ଜଣକ ହେଉଛନ୍ତି ଏ ଏମ୍‌ ଓଉପନ୍‌। ଆହତ ହେବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ଘଟଣା ପରେ ପୁଲିସ୍‌ ପ୍ରଶାସନ ପକ୍ଷରୁ ଅଧିକ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଦାନ୍ତେଓ୍ଵାଡାରୁ ଅଳ୍ପ ଦୂରରେ ଅବସ୍ଥିତ କଂସାପାଲିଲେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ପଠାଯାଇଛି ବୋଲି ସୂଚନା ହସ୍ତଗତ ହୋଇଛି। ବର୍ତ୍ତମାନ ଦନ୍ତେଓ୍ଵାଡ଼ାରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏପରି ସ୍ଥିତି ଆହୁରି ଅନେକ ସମୟ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁମାନ କରାଯାଉଛି। ତେବେ, ଏହି ଗୁଳି ବିନିମୟ ସମୟରେ ଏଯାବତ୍‌ କାହାରି ମୃତ୍ୟୁ ଘଟିନାହିଁ।

ଉଲ୍ଲେଖଯୋଗ୍ୟ, ଗତକାଲି ରାତିରେ ପୁଲିସ୍‌ ଏକ ବଡ଼ ସଫଳତା ହାସଲ କରିଛି। କୋରାପୁଟର ନାରାୟଣାପାଟଣା ବ୍ଲକା ଡାକରା ଘାଟିରେ ରାତ୍ରି ସମୟରେ ପୁଲିସ୍‌ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ୪ ମହିଳା ମାଓବାଦୀ ନିହତ ହୋଇଛନ୍ତି।

ସମ୍ବନ୍ଧିତ ଖବର