ଉଦଳା: ଘରେ ପଶି, ଯୁବତୀ ଓ ତାଙ୍କ ମାଆଙ୍କୁ ଦାରୁଆ ଅସ୍ତ୍ରରେ ହାଣି ହତ୍ୟା ଉଦ୍ୟମ

ଉଦଳା: ଗତକାଲି ରାତି ୨ଟା ସମୟରେ ମୟୂରଭଞ୍ଜ କପ୍ତିପଦା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମରେ ଜଣେ ମହିଳାଙ୍କ ଘରେ ପଶି ଜଣେ ଯୁବକ ତାଙ୍କୁ  ଓ ତାଙ୍କ ୨୦ ବର୍ଷୀୟା ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ଅଭିଯୁକ୍ତ କୁହାଯାଉଥିବା ଯୁବକ ଜଣକ ଫେରାର ହୋଇ ଯାଇଛି।

ପୁଲିସ ସୂତରୁ  ମିଳିଥିବା ସୂଚନା ଅନୁଯାୟୀ,  ସ୍ଥାନୀୟ ବେଲଢ଼ିଆ ଗ୍ରାମର  ଭରତ ମହାନ୍ତି ନାମକ ଜଣେ ଯୁବକ  ଭୁବନେଶ୍ୱରରେ ଯୁକ୍ତ ୩ ପଢ଼ୁଥିବା ଜଣେ ଯୁବତୀଙ୍କୁ ଏକପାଖିଆ ପ୍ରେମ କରନ୍ତି। ଯୁବତୀଙ୍କର  ଭରତଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଅତୀତରେ ଭରତ ମଧ୍ୟ ଏକ ଅପରାଧିକ ମାମଲାରେ ସମ୍ପୃକ୍ତ ହୋଇ ଜେଲ ଯାଇଥିଲେ। ନିକଟୋ ଭରତ  ଯୂୁବତୀଙ୍କ ମାଆକୁ ଟଙ୍କା ଧାର ମାଗିଥିଲେ। ମାତ୍ର ସେ ଦେଇ ନ ଥିଲେ। ଏଥିରେ  ଭରତ ଉତ୍‌କ୍ଷିପ୍ତ ହୋଇଥିଲେ। ତେବେ ଯୁବତୀ ଜଣକ ନିଜ ଘର ଜରଡ଼ାକୁ ଆସିଥିବା ବେଳେ ଗତକାଲି ରାତିରେ ସେ ଓ ତାଙ୍କ ମାଆ ଘରେ ଖାଇପିଇ ଶୋଇଥିଲେ।  ରାତି ପ୍ରାୟ ୨ଟା ବେଳେ ଭରତ ତାଙ୍କ ଘର ଭିତରେ ପଶି ଉଭୟଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି। ଯୁବତୀଙ୍କ ତଣ୍ଟିକୁ କାଟିବା ଉଦ୍ୟମ ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପଶି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର