ବିରଳ ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ୨ ଯୁବକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ। କୋଭିଡ ମହାମାରୀ ଯୋଗୁଁ ଯେଭଳି ରକ୍ତଦାନ ଶିବିର ହେବା କଥା ହୋଇପାରୁନାହିଁ,ଯାହାଫଳରେ ରକ୍ତର ଘୋର ଅଭାବ ଦେଖା ଦେଇଛି।

ତେବେ ଏହି ସମୟରେ କିନ୍ତୁ ଜୟ ମାଲକାନଗିରି ଗ୍ରୁପର ସଦସ୍ୟମାନେ ରୋଗୀଙ୍କୁ ରକ୍ତର ଅଭାବ ପରିଲକ୍ଷିତ  କରାଉ ନାହାନ୍ତି। ଗତ କିଛି ଦିନ ତଳେ ମାଲକାନଗିରି ବ୍ଲକର ତଣ୍ଡକି ଅଂଚଳର ବାସନ୍ତୀ କାବାସି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ ପରାମର୍ଶ କରିଥିଲେ।

ବାସନ୍ତୀଙ୍କର ରକ୍ତର ଅଭାବ ଦେଖାଦେଇଥିଲା। ତେବେ ତାଙ୍କୁ  ଏବି ନେଗେଟିଭ ରକ୍ତ ଦରକାର ପଡୁଥିଲା। ଏହି ବିରଳ ଶ୍ରେଣୀର ରକ୍ତ ମିଳିବା ଏକ ପ୍ରକାର କଷ୍ଟସାଧ୍ୟ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମିଳି ନଥିଲା। ତେବେ ଜୟ ମାଲକାନଗିରି ଗ୍ରୁପର ରବି ରାଜେଶ ଏବଂ ପି.ଦିବାକର ଏହି ଖବର ପାଇବା ପରେ ତୁରନ୍ତ ରକ୍ତ ଖୋଜିବା ଆରମ୍ଭ କରିଥିଲେ। ସ୍ଥାନୀୟ ଯୁବକ ପାରସ ବନସାଲି ଏବଂ ଗୋଲୁ ବାଫନାଙ୍କର ଏବି ନେଗେଟିଭ ରକ୍ତ ରହିଥିବା ଜାଣିବା ପରେ ଏମାନଙ୍କୁ ରକ୍ତଦାନ ପାଇଁ ଅନୁରୋଧ କରାଯାଇଥିଲା। ଦୁହେଁ ତୁରନ୍ତ ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ, ଯାହାଫଳରେ ବାସନ୍ତୀଙ୍କ ଜୀବନ ବଞ୍ଚିଯାଇଥିଲା। ଏହି ଖବର ପ୍ରଚାର ହେବା ପରେ ଦୁଇ ଯୁବକଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର