ଲୁଟ୍‌ ପରେ ଯୁବକଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲିି ଦେଲେ

ବାରଙ୍ଗ: ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକଙ୍କ ଠାରୁ ଲୁଟିବା ପରେ ତଳକୁ ଠେଲି ଦେଲେ ୪ ଜଣ କିନ୍ନର। ଏଭଳି ମର୍ମନ୍ତୁଦ ଘଟଣା ଆଜି ସକାଳେ ବାରଙ୍ଗର କଣ୍ଟାପାଟଣା ଗ୍ରାମ ନିକଟରେ ଘଟିଛି। ସକାଳେ ରେଳ ପୋଲ ପାଖରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ପଡି ଛଟପଟ ହେଉଥିବାର କିଛି ଲୋକ ଦେଖିଥିଲେ। ତା ନିକଟକୁ ଯାଇ ତାକୁ ଉଠାଇ ପୋଛା ପୋଛି କରି ବସାଇଥିଲେ। ତାକୁ ପଚାରିବାରୁ ସେ କହିଥିଲା ତା ନାମ ବନମାଳୀ ସିଂ(୨୫) ଓ ତା ଘର ବେଲପାଳରେ ବୋଲି। ସେ ହାଓଡା ଚେନ୍ନାଇ ଏକ୍‌ସପ୍ରେସ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ତାଙ୍କୁୁ ଟ୍ରେନ୍‌ରେ ୪ ଜଣ କିନ୍ନର ଧମକ ଦେଇ ଟଙ୍କା ମାଗିଥିଲେ। ସେ ମନା କରିବାରୁ ତାଙ୍କୁ ଧରି ନେଇ ତା ପ୍ୟାଣ୍ଟ ପକେଟ୍‌ରେ ଥିବା ମନିପର୍ସ ସହିତ ୭ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ଟିକୁ ଲୁଟି ନେବା ପରେ ଧକ୍କା ଦେଇ ଟ୍ରେନ୍‌ରୁ ତଳକୁ ଫିଙ୍ଗି ଦେଇଛନ୍ତି। ତାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ଉପସ୍ଥିତ ଯୁବକ ମାନେ ୧୦୮ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। ଶେଷରେ ୪ ଘଣ୍ଟା ବିଳମ୍ବ ପରେ ୯ଟା ବେଳେ ଏକ ଆମ୍ବୁଲାନ୍‌ସ ଭୁୁବନେଶ୍ୱରରୁ ଆସି ଗୁରୁତର ଯୁବକକୁ ଚିକିତ୍ସା ପାଇଁ ନେଇଛି। ବାରଙ୍ଗ ଜିଆରପି ଫାଣ୍ଡି ଘଟଣାର ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର