ଗାଁ ଗାଁରେ ଯୁବ‌ଗୋଷ୍ଠୀ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା: ହାତ ଧୋଇଲେ ଗାଁକୁ ପଶିବେ

ବିନା କାରଣରେ ଗାଁ’କୁ ପୁରେଇ ଦେଉନାହାନ୍ତି

ବାରିପଦା: କରୋନାକୁ ପ୍ରତିହତ କରିବା ପାଇଁ ଗାଁ ଗାଁରେ ଉଠିଲାଣି ସଚେତନତାର ବାର୍ତ୍ତା। ଏହାର ମାଧ୍ୟମ ସାଜିଛନ୍ତି ଯୁବଗୋଷ୍ଠୀ। ଜିଲ୍ଲାର ବିଭିନ୍ନ ଗାଁରେ ଯୁବଗୋଷ୍ଠୀ କରୋନାକୁ ରୋକିବା ନେଇ ସଙ୍ଗରୋଧ ହିଁ ଏକମାତ୍ର ମାଧ୍ୟମ ବୋଲି ବୁଝିସାରିଲେଣି। ତେଣୁ ଗାଁ ମୁଣ୍ଡରେ ବାଉଁଶ ବାନ୍ଧି ବିନା କାରଣରେ ଗାଁ ଭିତରକୁ ଅଜଣା ଲୋକଙ୍କୁ ପଶିବାକୁ ଦେଉନାହାନ୍ତି। ସେହିପରି ଗାଁ ମୁଣ୍ଡରେ ସାବୁନ୍‌ ଏବଂ ହ୍ୟାଣ୍ଡ୍‌ୱାସ୍‌ ରଖି ପ୍ରଥମେ ହାତ ଧୋଇଲେ ହିଁ ଗାଁ କୁ ପଶିବାକୁ ଦିଆଯାଉଛି। ଏହି ବ୍ୟବସ୍ଥା ଜିଲ୍ଲାର ଅଧିକାଂଶ ଗାଁରେ ଅନୁସରଣ କରାଯାଉଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ବାରମ୍ବାର ଦିଆଯାଉଥିବା ପରାମର୍ଶ ପ୍ରାୟତଃ ଗ୍ରାମାଞ୍ଚଳରେ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳୁଛି।

ନିଜେ ଓ ଗ୍ରାମକୁ ସୁରକ୍ଷିତ ରଖିବା ନିମନ୍ତେ ଗ୍ରାମର କେତେକ ଯୁବକ ଅଣ୍ଟାଭିଡ଼ି ଆଗେଇ ଆସିଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ୍‌ ଅଧୀନରେ ଥିବା  ଖଡ଼ିଶୋଳ ପଞ୍ଚାୟତର ଗ୍ରାମବାସୀଙ୍କ କ୍ଷେତ୍ରରେ । ଯୁବକମାନେ ଗ୍ରାମ ପଞ୍ଚାୟତର ପ୍ରବେଶ ପଥ ରାସ୍ତାରେ ଅସ୍ଥାୟୀ ଗେଟ ନିର୍ମାଣ କରି ପାଳି କରି ଜଗି ବସିଛନ୍ତି । ଗେଟରେ କରୋନା ଭୂତାଣୁ ସମ୍ପର୍କୀତ ବିଭିନ୍ନ ବାର୍ତ୍ତା ପୋଷ୍ଟରେ ଲେଖାଯାଇ ଝୁଲାଇ ଦିଆଯାଇଥିଲା ।

ଗ୍ରାମ ପଞ୍ଚାୟତ ଭିତରକୁ ଭିତରୁ ବାହାରକୁ ଯାତାୟତ କରୁଥିବା ବ୍ୟକ୍ତିମାନଙ୍କୁ କରୋନା ଭୂତାଣୁଠାରୁ କିପରି ନିଜକୁ ସୁରକ୍ଷିତ ରଖିବେ ସେ ସମ୍ପର୍କରେ ସଚେତନ କରାଇବା ସଂଗେସଂଗେ ଭଲଭାବେ ହାତ ଓ ପାଦକୁ ସାବୁନ ଆଦିରେ ଧୋଇ ଗ୍ରାମ ଭିତରକୁ ଓ ବାହାରକୁ ଛାଡ଼ୁଛନ୍ତି । ଏଥି ସହିତ ନିଜ ନିଜ ପଇସାରେ ସାବୁନ ଆଦି କିଣି ମାଗଣାରେ ଗରୀବ ଜନସାଧାରଣଙ୍କୁ ବାଣ୍ଟୁଥିବାର ଦେଖିବାକୁ ମିଳିଛି । ପୁଣି କୌଣସି କାମ ନଥାଇ ଅଯଥାରେ ବାହାରକୁ ନ ବାହାରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେବା ସହ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ “ଘର ଭିତରେ ପରିବାରର ସଦସ୍ୟମାନଙ୍କ ଗହଣରେ ରୁହ, ପରିବାରକୁ ସୁରକ୍ଷିତ ରଖିବା ସହ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୁଅ” ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଁଞ୍ଚାଉଥିବାର ପରିଲକ୍ଷିତ ହୋଇଛି ।

ଖଡ଼ିଶୋଳ ପଞ୍ଚାୟତର ଏହି ଯୁବକମାନଙ୍କ ଉଦ୍ୟମ ଜିଲ୍ଲାରେ ଅନ୍ୟମାନଙ୍କୁ  ପ୍ରେରଣା ଯୋଗାଇ ଥିବା ବେଳେ ପ୍ରାୟ ୨୦ରୁ ଅଧିକ ଗ୍ରାମର ଜନସାଧାରଣଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଥିବା ସମୟରେ ଖଡ଼ିଶୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ କୃଷ୍ଣ କୁମାର ଟୁଡ଼ୁ ଓ ଉକ୍ତ ଯୁବକମାନଙ୍କର ନେତୃତ୍ୱ ନେଇଥିବା ଡ଼ମ୍ବରୁଧର ମହାନ୍ତ ଗ୍ରାମ ପଞ୍ଚାୟତ ଭିତରକୁ ଯାତାୟକ କରୁଥିବା ବ୍ୟକ୍ତିମାନେ ସଚେତନ ହେଲେ ସେମାନଙ୍କ ପରିବାର ସୁରକ୍ଷିତ ରହିବେ ବୋଲି ପ୍ରକାଶ କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ବାଙ୍ଗିରିପୋଷି ବ୍ଲକ ଅଧୀନରେ ଥିବା କେତେକ ଗ୍ରାମ ରାସ୍ତାରେ ଗ୍ରାମବାସୀମାନେ ଫାଟକ ନିର୍ମାଣ କରି କରୋନା ଭାଇରସ ସମ୍ପର୍କିତ ସଚେତନତା ବାର୍ତ୍ତାର ବ୍ୟାନର୍‌ ଲଗାଇବା ସହ “ଗାଁକୁ ଏବେ ନାଁ ” ବାର୍ତ୍ତା ଦେଇଥିବାର ପରିଲକ୍ଷିତ ହୋଇଛି ।

 

ସମ୍ବନ୍ଧିତ ଖବର