ସୋମବାର କାର୍ଯ୍ୟକ୍ଷମ ହେବ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ, ଗଚ୍ଛିତ ଅଛି ଆବଶ୍ୟକ ଅମ୍ଳଜାନ

ସରକାରୀ ଭାବେ ଆଜିସୁଦ୍ଧା ଜିଲ୍ଲାକୁ ଫେରିଛନ୍ତି ୨୩ ପ୍ରବାସୀ, ପଶ୍ଚିମବଙ୍ଗରୁ ମାତ୍ର ଜଣେ

ବାରିପଦା, ୨୪/୪(ଇମିସ): ପଶ୍ଚିମବଙ୍ଗରେ କରୋନାର ନୂତନ ରୂପ ଚିହ୍ନଟ ପରେ ମୟୂରଭଞ୍ଜ ପ୍ରତି ବଢ଼ିଛି ବିପଦ। ଜିଲ୍ଲାରେ ମାତ୍ର କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣିତ ହୋଇଛି। ଗତବର୍ଷ ପିକ୍ ସମୟରେ ଜିଲ୍ଲାରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ମଧ୍ୟ ଏହି ସଂଖ୍ୟା ଅଧିକ ରହୁଛି। ସେହିପରି ବିଭିନ୍ନ ରାଜ୍ୟରେ କରୋନାର ତାଣ୍ଡବ କାରଣରୁ ଜିଲ୍ଲାକୁ ପ୍ରବାସୀମାନେ ଫେରିବା ଆରମ୍ଭ କରିଛନ୍ତି। ଯାହାକି ଆଗାମୀ ଦିନରେ ଜିଲ୍ଲା ପାଇଁ ଆହ୍ବାନପୂର୍ଣ୍ଣ ସମୟ ଆଣିପାରେ। ତେବେ ଏହାକୁ ମୁକାବିଲା କରିବା ନିମନ୍ତେ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବେଶ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏନେଇ ଜିଲ୍ଲାପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରକାଶ କରିଛନ୍ତି। ଗୁରୁବାର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ଉପଜିଲ୍ଲାପାଳ/ବିଡିଓ/ତହସିଲଦାରଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସ୍ଥିତିର ସମୀକ୍ଷା କରିଥିଲେ। ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି ପରମାର୍ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଜିଲ୍ଲାରେ ପ୍ରବାସୀମାନଙ୍କ ସଙ୍ଗରୋଧ ନିମନ୍ତେ କ୍ଲଷ୍ଟର୍ ଟିଏମ୍ସି ସ୍ଥାପନ ସହିତ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ କୋଭିଡ କେୟାର ସେଣ୍ଟର୍ରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଥିଲେ। ସେହିପରି ଆଜିଠାରୁ ଜିଲ୍ଲାରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପ୍ରବାସୀମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏବଂ ତୃଣମୂଳସ୍ତରରୁ ଆକ୍ରାନ୍ତଙ୍କ ଉପରେ ନଜର ରଖିବା ଭଳି କାର୍ୟ୍ୟ ଆରମ୍ଭ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି ରଖି ସେମାନଙ୍କୁ ସଙ୍ଗରୋଧରେ ରଖିବାକୁ ସେ ବୈଠକରେ ଗୁରୁତ୍ବାରୋପ କରିଥିଲେ। ସ୍ଥାନୀୟ ଜନପ୍ରତିନିଧି, ପୁଲିସ ସହିତ ଉତ୍ତମ ସମନ୍ବୟ ରଖି କରୋନା ମୁକାବିଲା କାର୍ୟ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରବାସୀମାନଙ୍କ ସମ୍ପର୍କରେ ପ୍ରତିଦିନ ପିଡି ଡିଆରଡିଏଙ୍କୁ ରିପୋର୍ଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଆଜି ସୁଦ୍ଧା ଜିଲ୍ଲାକୁ ସରକାରୀ ଭାବେ ମାତ୍ର ୨୩ ଜଣ ପ୍ରବାସୀ ଫେରିଥିବା ପିଡି ଡିଆରଡିଏ ଭବେଶ କୁମାର ନାୟକ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ମାତ୍ର ଜଣେ ଫେରିଛନ୍ତି। ଉକ୍ତ ପଶ୍ଚିମବଙ୍ଗ ଫେରନ୍ତା ସାରସକଣା ବ୍ଲକ୍ରେ ଥିବା ଏକ କ୍ଲଷ୍ଟର୍ ଟିଏମ୍ସିରେ ସଙ୍ଗରୋଧରେ ଅଛନ୍ତି। ସେହିପରି ପ୍ରବାସୀଙ୍କ ସଙ୍ଗରୋଧ ନିମନ୍ତେ ଜିଲ୍ଲାରେ ଆଜିସୁଦ୍ଧା ୪୭ଟି ସରକାରୀ ସଙ୍ଗରୋଧ କେନ୍ଦ୍ର (ଟିଏମ୍ସି) ସ୍ଥାପନ ହୋଇସାରିଲାଣି। ଉପରୋକ୍ତ ଟିଏମ୍ସିରେ ୧୪୯୮ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଛି। ଆଜିସୁଦ୍ଧା ମାତ୍ର ଗୋଟିଏ ଶଯ୍ୟାରେ ଜଣେ ପ୍ରବାସୀ ଅଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲାର ଚାରି ଉପଖଣ୍ଡରେ ୪ଟି କରି କୋଭିଡ୍ କେୟାର୍ ସେଣ୍ଟର କାର୍ୟ୍ୟକାରୀ ହୋଇସାରିଛି। ଏଗୁଡ଼ିକରେ ୪ଶହ ଶଯ୍ୟାର ବ୍ୟବସ୍ଥା ହୋଇଛି। ଏକକାଳୀନ ଏହି ସିସିସି ଗୁଡ଼ିକରେ ୪ଶହ କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇପାରିବେ ବୋଲି ପିଡି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସୋମବାର ବାରିପଦାର ବାଙ୍କିଶୋଳଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ କୋଭିଡ୍ ହସ୍ପିଟାଲ କାର୍ୟ୍ୟକାରୀ ହେବାର ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି। ଜିଲ୍ଲାରେ ଅମ୍ଳଜାନର ମହଜୁଦକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ରୂପଭାନୁ ମିଶ୍ରଙ୍କ ସୂଚନା ଅନୁସାରେ ସମସ୍ତ କୋଭିଡ୍ କେୟାର ସେଣ୍ଟର୍କୁ ୨ଶହ ଅମ୍ଳଜାନ ସିଲିଣ୍ଡର ପ୍ରଦାନ କରାଯାଇଛି। ଦୁଇଟି ଶଯ୍ୟା ନିମନ୍ତେ ଗୋଟିଏ ଅମ୍ଳଜାନ ସିଲିଣ୍ଡର୍ ଯୋଗାଇ ଦିଆଯାଇଛି। ଆଜି ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପିଆରଏମ୍ ହସ୍ପିଟାଲରେ ଗଚ୍ଛିତ ଥିବା ଅମ୍ଳଜାନ ସିଲିଣ୍ଡରର ପରିମାଣ ଆବଶ୍ୟକତା ଅନୁସାରେ ଠିକ ଅଛି। ମାତ୍ର ଆଗକୁ ରୋଗୀଙ୍କ ସଂଖ୍ୟା ଅଧିକ ହେଲେ ସେନେଇ ଅଧିକ ଅମ୍ଳଜାନର ଆବଶ୍ୟକତା ପଡ଼ିପାରେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ଗତବର୍ଷ ଜିଲ୍ଲାକୁ ପ୍ରାୟ ୩୦ହଜାରରୁ ଊର୍ଧ୍ବ ପ୍ରବାସୀ ଫେରିଥିଲେ।

ସମ୍ବନ୍ଧିତ ଖବର