ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ:ଜଣେ ଗିରଫ, ୨ ଅଟକ

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଚାଷ ଜମିରେ ରାତିସାରା ଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପଚରାଉତରା କରୁଛି। ଗିରଫ ଅଭିଯୁକ୍ତ ହେଉଛି ସୁରେନ୍ଦ୍ର ନାଏକ ଓରଫ ନଧା (୫୦)। ଅଟକଦ୍ୱୟ ହେଲେ ଚଙ୍ଗା ନାଏକ (୫୫), ଟୁନା ପଲେଇ (୫୦)। ଏମାନେ ସମେସ୍ତ ପଥୁରୀ ପଞ୍ଚାୟତର।
ଗତକାଲି ରାତି ୧୦ଟା ପର୍ଯ୍ୟନ୍ତ ଏହି ତିନିଜଣ ଓ ନାବାଳିକା (୧୬ ବର୍ଷ)ଙ୍କ ବାପା ମିଶି ତାଙ୍କ ଘରେ ଦେଶୀମଦ ପିଇଥିଲେ। ଅଧିକ ନିଶା ହେବାର ବାହାନା କରି ନାବାଳିକାଙ୍କ ଘରେ ସମସ୍ତେ ରହିଯାଇଥିଲେ। ସମସ୍ତେ ଶୋଇବା ପରେ ସୁରେନ୍ଦ୍ର ସଂପୃକ୍ତ ନାବାଳିକାଙ୍କୁ ଟେକିନେଇ ୩ ଶହ ମିଟର ଦୂରରେ ଥିବା ଏକ ବିଲରେ ଦୁଷ୍କର୍ମ କରିଥିଲା। ପରେ ସେଠାରେ ତାଙ୍କୁ ଏକା ଛାଡ଼ି ଚାଲିଯାଇଥିଲା। ପାହାନ୍ତା ପହରରେ ନିକଟସ୍ଥ ଘରର ଜଣେ ମହିଳା ତାଙ୍କୁ ଦେଖି ଉଦ୍ଧାର କରିଥିଲେ।
ନାବାଳିକା ମୂକ ହୋଇଥିବାରୁ କିଛି କହିପାରୁ ନାହାନ୍ତି। ଠାରରେ ସେ ଜଣାଇବା ପରେ ସକାଳୁ ଏ ଘଟଣା ପ୍ରଘଟ ହୋଇଥିଲା। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଝିଅର ବାପା ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଥିଲେ। ତଦନୁଯାୟୀ ପୁଲିସ କେସ୍‌ ନମ୍ବର ୧୪/୧୮ରେ ମାମଲା ରୁଜୁ କରିଛି। ବାଙ୍ଗିରିପୋଷି ଥାନା ଅଧିକାରୀ ମିନତୀ ବିଶ୍ୱାଳ ପୁଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ସଂପୃକ୍ତ ୩ ଜଣଙ୍କୁ ଥାନାକୁ ଉଠାଇ ନେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ନଧାର ଡାକ୍ତରୀ ମାଇନା କରାଯାଇଛି। ସଦର ଏସ୍‌ଡିପିଓ ଅଭିମନ୍ୟୁ ନାୟକ ଓ ମୟୂରଭଞ୍ଜ ଏସ୍‌ପି ଅନିରୁଦ୍ଧ ସିଂ ଘଟଣାସ୍ଥଳ ଓ ଝିଅଘରକୁ ଯାଇ ପାରିପାର୍ଶ୍ୱିକ ସ୍ଥିତିର ତଦନ୍ତ କରିଛନ୍ତି। ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡବିଧାନ କରିବା ପାଇଁ ବାଙ୍ଗିରିପୋଷି ଦିବ୍ୟାଙ୍ଗ ସଂଘର ସଭାପତି ଅରୁଣ କୁମାର ବେହେରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର