ବାଙ୍ଗିରିପୋଷି ଷ୍ଟେସନରେ ଡିଏମ୍ୟୁ ଟ୍ରେନ୍ରେ ଅଗ୍ନିକାଣ୍ଡ: ଯାତ୍ରୀ ସୁରକ୍ଷିତ, ସୁରକ୍ଷା ଯାଞ୍ଚ ପରେ ଛାଡ଼ିବ ଟ୍ରେନ୍
ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । ବାଙ୍ଗିରିପୋଷି-ବାଲେଶ୍ବର ଡିଏମ୍ୟୁ ଟ୍ରେନ୍ରେ ମଙ୍ଗଳବାର ଅପରାହ୍ନରେ ନିଆଁ ଲାଗିଛି। ଇଲେକ୍ଟ୍ରିକ୍ ସର୍ଟସର୍କିଟ ହେତୁ ବାଙ୍ଗିରିପୋଷି ଷ୍ଟେସନ୍ରେ ଠିଆ ହୋଇଥିବା ଟ୍ରେନ ଇଂଜିନରେ ନିଆଁ ଲାଗିଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି। ତେବେ, ଖବର ପାଇ ଦମକଳ ବାହିନୀ ବାଙ୍ଗିରିପୋଷି ଷ୍ଟେସନ୍ରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଟ୍ରେନ୍ଟି ଚେକିଂ ପରେ ପୁଣି ବାଲେଶ୍ବର ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ରହଛି। ଅପରାହ୍ନ ୧.୦୫ ମିନିଟ୍ରେ ଟ୍ରେନ୍ ଆସି ଷ୍ଟେସନ୍ରେ ରହିଥିଲା।
ଏବେ ଘଟଣାସ୍ଥଳରେ ରେଲ୍ ଇଞ୍ଜିନିୟରଙ୍କ ଏକ ଦଳ ପହଞ୍ଚିଛନ୍ତି। ତେବେ, ପୁରୁଣା ଇଞ୍ଜିନର ରକ୍ଷଣାବେକ୍ଷଣା ଅଭାବ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ରେଳ କ୍ରିୟାନୁଷ୍ଠାନ କମିଟି ସମ୍ପାଦକ ଶାନ୍ତନୁ କୁମାର ଦାଶ କହିଛନ୍ତି। ପ୍ରଥମେ ଟ୍ରେନ୍ର ବ୍ୟାଟେରିରେ ନିଆଁ ଲାଗିବା ପରେ ଚାରିଆଡ଼କୁ ବ୍ୟାପିଥିଲା ବୋଲି ଜାଣିବାକୁ ମିଳିଛି।