ହଜିଗଲା ମାନବିକତା: କରୋନା ସନ୍ଦେହରେ ଶବକୁ ଛୁଇଁଲେନି ଡାକ୍ତରଖାନା କର୍ମଚାରୀ

ସାନ ଭାଇର ଶବକୁ ଏକାକି ମହାପ୍ରୟାଣକୁ ବୋହି ନେଲେ ବଡ ଭାଇ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି:  କରୋନା ମହାମାରୀ ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅମାନବୀୟ ଓ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି । ମଧ୍ୟରାତିରେ ସାନ ଭାଇର ମୃତ ଶରୀରକୁ ନିଜେ ବଡ ଭାଇ ଷ୍ଟ୍ରେଚରରେ ବୋହି ଆଣି ମହାପ୍ରୟାଣ ଗାଡିରେ ଭରି କରିବା ଦୃଶ୍ୟ ଉପସ୍ଥିତ ଜନତାଙ୍କୁ ବ୍ୟଥିତ କରିପକାଇଛି । ମୃତ ଭାଇର ଶବକୁ ଛାଡି ଯାଇପାରୁନାହାନ୍ତି କିମ୍ବା ଗାଡିକୁ ଉଠାଇବାରେ ସମର୍ଥ ହୋଇ ପାରୁନାହାନ୍ତି।  ଭାଇର ଶବକୁ ଷ୍ଟ୍ରେଚରରେ ବୋହି ଆଣି ଏକାକି ମହାପ୍ରୟାଣ ଗାଡିରେ ଭରିବା ପାଇଁ ଉଦ୍ୟମ କରିବି ବିଫଳ ହେଉଥିବା ଭିଡିଓ  ଏବେ ଭାଇରାଲ ହେବା ରେ ଲାଗିଛି। ଗତ କିଛି ଦିନ ପୂର୍ବର ଏହି ଦୃଶ୍ୟ ଏବେ ପଦାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଗାଁର ଯୁବକ ରବିନାରାୟଣ ଆଚାର୍ଯ୍ୟ(୨୪) ହଠାତ ଅସୁସ୍ଥ ଅନୁଭ କରିବାରୁ ପ୍ରଥମେ ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ । ରବି ନାରାୟଣଙ୍କ ରାତି ୧୦ଟା ରେ ଦେହାନ୍ତ ହୋଇଯାଇଥିଲା। ମେଡିକାଲ ପକ୍ଷରୁ ମହାପ୍ରୟାଣ ଗାଡିକୁ ଫୋନ କରି ଶବ ଘରକୁ ନେଇ ଯିବା ପାଇଁ ତାଙ୍କ ବଡ ଭାଇ ମନୋରଂଜନଙ୍କୁ କହିଲେ। ମହାପ୍ରୟାଣ ଗାଡି ରାତି ପ୍ରାୟ ୧୨ ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆସି ଲାଗିଥିଲା। ମେଡ଼ିକାଲର ଜଣେ  କର୍ମଚାରୀ ମନରଞ୍ଜନଙ୍କୁ ତାଙ୍କ ଭାଇର ମୃତ ଶରୀରକୁ ମେଡ଼ିକାଲ ବେଡ଼ରୁ ଷ୍ଟ୍ରେଚରରେ ରଖିବାରେ ସହଯୋଗ କରି କୁଆଡେ ଚାଲିଗଲେ। ଏହାପରେ ପାଖରେ କାହାକୁ ନପାଇ ବାଧ୍ୟ ହୋଇ ବଡ ଭାଇ ମନୋରଞ୍ଜନ ସାନ ଭାଇର ଶବକୁ ନିଜେ ଷ୍ଟ୍ରେଚର ରେ ଠେଲି ଠେଲି  ମେଡ଼ିକାଲ ବାହାରେ ଛିଡ଼ା ହୋଇଥିବା ମହାପ୍ରୟାଣ ଗାଡି ପାଖକୁ ଆଣିଥିଲେ।

ମୃତକ ଭାଇର ଶବର ଓଜନ ପ୍ରାୟ ୧ କୁଇଣ୍ଟାଲରୁ ଅଧିକ ଥିଲା।  ଏତେ ଓଜନର ସାନ ଭାଇର ଶବକୁ ଉଠାଇ ଗାଡ଼ିରେ ରଖିବା ଜଣକ ପକ୍ଷେ ସମ୍ଭବ ହୋଇନଥିଲେ ମଧ୍ୟ ଶବକୁ ଷ୍ଟ୍ରେଚରରୁ ଉଠାଇ ଗାଡ଼ିରେ ରଖିବା ପାଇଁ ଅନେକ ଚେଷ୍ଟା କରି ଥିଲେ । ଏହିଭଳି ପ୍ରାୟ ଏକ ଘଣ୍ଟା କାଳ ପ୍ରୟାସ କରିବା ପରେ ମଧ୍ୟ ବିଫଳ ହୋଇ ଥିଲେ। ଏହାପରେ ଦୁଇ ଜଣ ଅଚିହ୍ନା ଲୋକ ସେହି ରାସ୍ତାଦେଇ ଯାଉଥିବା ବେଳେ ଭାଇର ଶବକୁ ଗାଡିକୁ ନେବା ପାଇଁ ନେହୁରା ହୋଇଥିଲେ।  ମନୋରଞ୍ଜନ ଙ୍କ ଦୁଃଖ ଦେଖି ଦୁଇ ଯୁବକ ମନୋରଞ୍ଜନଙ୍କୁ ସାହାଯ୍ୟ କରି ମହାପ୍ରୟାଣ ଗାଡି ମଧ୍ୟରେ ଭର୍ତ୍ତୀ କରାଇବାରେ ସହଯୋଗ କରିବା ପରେ ଭାଇର ଶବକୁ ନେଇ ଖାତିଗୁଡା ପହଞ୍ଚିଥିଲେ ମନୋରଞ୍ଜନ।

ସମ୍ବନ୍ଧିତ ଖବର