ବାଲେଶ୍ୱର: ନଦୀଗାଁ ଛକରେ ଟ୍ରାକ୍ଟର-ବାଇକ ଧକ୍କା, ମା ମୃତ, ପୁଅ ଗୁରୁତର

ବାଲେଶ୍ୱର: ସଦର ଥାନା କସବା ଫାଣ୍ଡି ଅଧିନ ନଦୀଗାଁ ଛକରେ ରବିବାର ଟ୍ରାକ୍ଟର-ବାଇକ ଧକ୍କା ହୋଇଛି। ଏଥିରେ ବାଇକ ଚାଳକ ଗୁରୁତର ଆହତ ହୋଇ ବାଲେଶ୍ୱର ସଦର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମା’ଙ୍କର ଘଟଣାସ୍ଥଳ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ମହେନ୍ଦ୍ର ଦଳେଇଙ୍କ ପତ୍ନୀ ଖୁସି ଦଳେଇ(୪୫) ଓ ଆହତ ଯୁବକ ଜଣକ ତାଙ୍କ ପୁଅ ବାପୁନୁ ଦଳେଇ(୨୨)।

ମିଳିଥିବା ଖବରରୁ ପ୍ରକାଶ, ପଦ୍ମପୁର ଗ୍ରାମରୁ ଆଜି ବାପୁନୁ ନିଜ ପ୍ଲାଟିନା ବାଇକ (ଓଡି-୦୧-୦୦୧୩)ରେ ମା’ ଖୁସି ଦଳେଇଙ୍କୁ ବସାଇ ଖନ୍ତାପଡ଼ା ଥାନା ଅଧିନ ଟିଣାସ୍ଥିତ ତାଙ୍କ ମାମୁ ମଦନ ଦଳେଇଙ୍କ ଘରକୁ ଯାଉଥିଲେ। ତେବେ ନଦୀଗାଁ ଛକଠାରେ ହଠାତ ରାସ୍ତାର ଡାହାଣ ପଟକୁ ମାଡ଼ି ଆସି ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ଉଭୟ ମା’ ଓ ପୁଅ ଗୁରୁତର ହୋଇଥିବା ବେଳେ ଖୁସୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଅନ୍ୟପକ୍ଷରେ ଧକ୍କା ଲଗାଇଥିବା ଟ୍ରାକ୍ଟରଟି ମଧ୍ୟ ଆଖି ପିଛୁଳାକେ ସେଠାରୁ ଫେରାର ହୋଇଯାଇଥିଲା। ଗୁରୁତର ଆହତ ହୋଇଥିବା ବାପୁନୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲେଶ୍ୱର ସଦର ହସ୍ପିଟାଲକୁ ପଠାଇବା ସହ ପୁଲିସ ଓ ତାଙ୍କ ପରିବାରକୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗିଥିବା ବେଳେ ପୁଲିସ ପହଂଚି ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଟ୍ରାକ୍ଟର କାହାର ଓ ଡ୍ରାଇଭରର ପରିଚୟ ମିଳିନଥିବା ବେଳେ ସେ ନଦୀଗାଁ ଅଞ୍ଚଳର ଏବଂ ଡ୍ରାଇଭର ଜଣକ ନାବାଳକ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର