ଭାଇବୋହୂଙ୍କୁ ହାଣିଲା ଦେଢଶୁର,ମହୁଲ ଗୋଟାଇବାକୁ ନେଇ ବିବାଦ

କରଦାଙ୍ଗି/ ‌ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତର ଘୋଡ଼ାବେଡ଼ା ସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ମହୁଲ ଫୁଲ ସଂଗ୍ରହକୁ କେନ୍ଦ୍ରକରି ଭାଇବୋହୂ ଓ ଦେଢଶୁରଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଉତକ୍ଷିପ୍ତ ଦେଢଶୁର ବିଧବା ଭାଇବୋହୂ ଅବଳା ନାଏକଙ୍କୁ ଏକ ଟାଙ୍ଗିଆରେ ହାଣି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ସବୁଦିନ ପରି ଆଜି ଅପରାହ୍ଣ ୨ଟା ବେଳେ ଅବଳା ମହୁଲ ଫୁଲ ସଂଗ୍ରହ ପାଇଁ ଯାଇଥିଲେ।

ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ଦେଢଶୁର ରବି ନାଏକ ସେଠାରେ ପହଞ୍ଚିଥିଲେ। ପୂର୍ବରୁ ଜମିଜମା ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ସେଥିପାଇଁ ଅବଳା ନାଏକଙ୍କୁ ଗଛରୁ ମହୁଲ ଫୁଲ ନନେବା ପାଇଁ ତାଗିଦ କରିଥିଲେ। ଏ ଗଛରେ ତାଙ୍କ ସ୍ବାମୀଙ୍କର ଭାଗ ଥିବା କଥା ଅବଳା କହିଥିଲେ। ସେଥିପାଇଁ ଏଥିରୁ ସେ କିଛି ମହୁଲ ଫୁଲ ନେବାକୁ କହିଥିଲେ।

ଏତିକିରେ ରବି ନାଏକ ଉତକ୍ଷିପ୍ତ ହୋଇ ହାତରେ ଧରିଥିବା ଟାଙ୍ଗିଆରେ ଅବଳାଙ୍କ ମୁଣ୍ଡରେ ଚୋଟ ମାରିଥିଲେ। ଟାଙ୍ଗିଆ ଚୋଟ ଖାଇ ଅବଳା ଚିତ୍କାର କରିବାରୁ ସ୍ଥାନୀୟ କିଛି ଲୋକ ପହଞ୍ଚି ଯାଇଥିଲେ। ରବି ସେଠାରୁ ଚମ୍ପଟ ମାରିଥିଲେ। ଅବଳାଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାକୁ ପଠାଯାଇଛି। ମହିଳାଙ୍କର ସ୍ବାମୀ ଆରପାରିକି ଚାଲିଯାଇଥିବା ବେଳେ ପୁଅଝିଅ ନଥିବାରୁ ଥାନାରେ ଅଭିଯୋଗ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର