ଦଶପଲ୍ଲା: ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅଧିକାରୀଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନ୍ୟାୟ ପାଇଁ ଥାନାକୁ ଯାଉଥିବା ଅଭିଯୋଗକାରୀଙ୍କୁ ମିଳୁନି ନ୍ୟାୟ। ଖୋଦ୍ ଥାନା ଅଧିକାରୀ ଅଭିଯୁକ୍ତଙ୍କ ସହ ସଲାସୁତରା କରି ଅଭିଯୋଗକାରୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କୁ ଥାନାରେ ଅଟକ ରଖିବା ପରେ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେବା, ସାଦା କାଗଜରେ ଦସ୍ତଖତ କରାଇବା ଓ ଗ୍ରାମରକ୍ଷୀଙ୍କ ଜରିଆରେ ଅର୍ଥ କାରବାର କରିଥିବା ଅଭିଯୋଗ ନେଇ ଚଢ଼େୟାପଲ୍ଲୀ ପଞ୍ଚାୟତ ଗୋଛା ଗ୍ରାମର ବିରଞ୍ଚି କର୍ମୀ ଏବେ ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, ଚଢ଼େୟାପଲ୍ଲୀ ପଞ୍ଚାୟତ ଗୋଛା ଗ୍ରାମର ବିରଞ୍ଚି କର୍ମୀଙ୍କ ପତ୍ନୀଙ୍କୁ ଗୋଛା ଗ୍ରାମର କପିଳ ପ୍ରଧାନ ଗତ ଅକ୍ଟୋବର ୪ ତାରିଖ ଦିନ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ବିରଞ୍ଚିଙ୍କ ପତ୍ନୀ ବାଣିଗୋଛା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନା ଅଧିକାରୀ ବିରଞ୍ଚିଙ୍କୁ ଘରୁ ଉଠାଇ ନେବା ସହ ଓ କପିଳଙ୍କୁ ମଧ୍ୟ ଥାନାରେ ଅଟକ ରଖି ବିଭିନ୍ନ ଧମକଚମକ ଦେଇଥିଲେ। ଏପରିକି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଏକ ସାଦା କାଗଜରେ ତାଙ୍କଠାରୁ ଦସ୍ତଖତ ନେଇଥିଲେ। ଗତ ୭ ତାରିଖ ସଂଧ୍ୟାରେ ବିରଞ୍ଚି ନଣ୍ତାଗାଡ଼ୁ ଗ୍ରାମର ଶତ୍ରୁଘନଙ୍କୁ ଆଣିବା ପାଇଁ ଏକ ବାଇକ୍ ଯୋଗେ ଯାଇଥିବା ବେଳେ ବିରଞ୍ଚିଙ୍କୁ ଅଟକାଇଥିଲେ। କପିଳ ବିରଞ୍ଚିଙ୍କ ହେଲମେଟ୍ ବାହାର କରିବା ସହ ଏକ ଠେଙ୍ଗାରେ ତାଙ୍କ ମୁଣ୍ତକୁ ପିଟିଥିଲେ। ବିରଞ୍ଚି ନ୍ୟାୟ ଦାବି କରି ଘଟଣା ସମ୍ପର୍କରେ ଚଢେୟାପଲ୍ଲୀ ସରପଞ୍ଚ ପ୍ରସନ୍ନ କୁମାର ନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୧୫ ତାରିଖ ଦିନ ଉଭୟଙ୍କୁ ଡକାଯାଇ ପଞ୍ଚାୟତରେ ବୈଠକ ମଧ୍ୟ ହୋଇଥିଲା। ବିଭିନ୍ନ ଆଲୋଚନା ପରେ କପିଳ ବିରଞ୍ଚିଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିବା ଓ ବିରଞ୍ଚିଙ୍କୁ ମାଡ଼ ମାରିଥିବା ନେଇ ସ୍ବୀକାର ମଧ୍ୟ କରିଥିଲେ। ଏହା ପରେ କପିଳର ବାପା ହଠାତ ବିରଞ୍ଚିଙ୍କୁ ଗାଳିଗୁଲଜ କରିବା ସହ ସର୍ବସମ୍ମୁଖରେ ମାଡ଼ ମାରିଥିଲେ। ଏପରିକି ସରପଞ୍ଚ, ୱାର୍ଡ ମେମ୍ବର ଓ ସମିତିସଭ୍ୟଙ୍କୁ ଗାଳିଗୁଲଜ କରିଥିଲେ। ସମସ୍ତଙ୍କୁ ଗାଳିଗୁଲଜ କରିବା ସହ ବିରଞ୍ଚିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ସରପଞ୍ଚ ଶ୍ରୀ ନାୟକ ପରବର୍ତ୍ତୀ ସମୟରେ ବାଣିଗୋଛା ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏସବୁ ସତ୍ତ୍ବେ ଥାନା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କପିଳଙ୍କୁ ସହଯୋଗ କରୁଥିବା ଅଭିଯୋଗ ହେଉଛି। ଏହାକୁ ନେଇ ବିରଞ୍ଚି, କପିଳ ଓ ଥାନା ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଗତ ୨୪ ତାରିଖ ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ସାକ୍ଷାତ ନପାଇ ଜିଲ୍ଲା ଉପଆରକ୍ଷୀ ଅଧିକ୍ଷକ ତଥା ମାନବାଧିକାର ସୁରକ୍ଷା ପ୍ରକୋଷ୍ଠରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଆସନ୍ତା ୭ ଦିନ ମଧ୍ୟରେ ଘଟଣାର ତଦନ୍ତ ପାଇଁ ଏସ୍ଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ବଡ଼ କଥା ହେଉଛି ବାଣିଗୋଛା ଥାନା ଅଧିକାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ, ଆନ୍ଦୋଳନ ଓ ଦୀର୍ଘ ଦିନ ଅବସ୍ଥାପିତ ହୋଇଥିଲେ ବି ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି।