ମିଳିତ ଆକ୍ରମଣରେ ମୁଣ୍ତ ଫାଟିଲା

ନୂଆଗାଁ: ନୂଆଗାଁ ଥାନା ମହୀତମା ଗ୍ରାମରେ ଏକ ହମ୍ପସ ନିର୍ମାଣକୁ ନେଇ ଜଣେ ବାଇକ୍ ଚାଳକଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ମେଳିବାନ୍ଧି ଆକ୍ରମଣ କରିଥିବା ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ, ମହିତମା ଗ୍ରାମର ବୃନ୍ଦାବନ ସିଂ ଘରକୁ ଯାଉଥିବା ସମୟରେ ଗାଁ ମୁଣ୍ତରେ ଥିବା ଏତେ ବଡ଼ ହମ୍ପ୍‌ସ କିଏ କରିଛି ବୋଲି କହିଥିଲେ। ହମ୍ପ୍‌ସ ଭାଙ୍ଗି ଦିଆଯିବ ବୋଲି କହିବା ପରେ, ସେଠାରେ ବସିଥିବା ଗାଁର କିଶୋର ଚନ୍ଦ୍ର ନାୟକ, ଗୋବିନ୍ଦ ନାୟକ, ମୁନା ନାୟକ, ପ୍ରଦୀପ ନାୟକ, ଦିଲୀପ ନାୟକ, ହାଡ଼ିଆ ନାୟକ, ସନିଆ ନାୟକ ଏବଂ ସନ୍ତୋଷ ନାୟକ ମିଶି ବୃନ୍ଦାବନକୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ବୃନ୍ଦାବନ ଅଚେତ ହୋଇ ତଳେ ପଡ଼ିଯିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଧରିଥିବା ଠେଙ୍ଗାରେ ମୁଣ୍ତକୁ ପିଟିବାରୁ ତାଙ୍କ ମୁଣ୍ତ ଫାଟି ରକ୍ତସ୍ରାବ ହୋଇଥିଲା। ଖବର ପାଇ ବୃନ୍ଦାବନଙ୍କ ସ୍ତ୍ରୀ ସୌଦାମିନୀ ସ୍ବାଇଁ ଘରୁ ଧାଇଁ ଆସି ଘଟଣାସ୍ଥଳରେ ପହଞ୍ଚି ସ୍ବାମୀଙ୍କୁ ଉଦ୍ଧାର କରୁଥିବା ବେଳେ ସେମାନେ ତାଙ୍କୁ ମଧ୍ୟ ଛାଡ଼ିନଥିଲେ। ଗାଳିଗୁଲଜ କରି ପିନ୍ଧାଲୁଗାକୁ ଟଣାଓଟରା କରିଥିବା ସେ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରିଛି। ମାତ୍ର ଘଟଣା ଘଟିବାର ୩ ଦିନ ବିତିଯାଇଥିଲେ ମଧ୍ୟ ଆସାମୀମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିନାହିଁ। ଆସାମୀମାନେ ଖୋଲାଖୋଲି ବୁଲୁଥିଲା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ନଧରିବା ପଛର ରହସ୍ୟ କ’ଣ ବୋଲି ପ୍ରଶ୍ନ ଉଠିଛି। ଏ ନେଇ ନୂଆଗାଁ ଥାନା ପୋଲିସ ତଦନ୍ତ ଚାଲିଥିବା କହିଛି।

ସମ୍ବନ୍ଧିତ ଖବର