ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ନବରଙ୍ଗପୁର: ଅଜଣା ଗାଡି ଧକ୍କାରେ ଗୁରୁତର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବିରେ ଗାଁ ଲୋକେ ଆଜି ଅପରାହ୍ନରେ ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି। ମୃତକ ହେଲେ ନବୀନ ହରି ଜନ (୬୧)।

ପ୍ରକାଶ ଥାଉକି ଗତ ୫ ତାରିଖ ଅପରାହ୍ନରେ ନବରଙ୍ଗପୁର ବ୍ଲକର ମନ୍ତ୍ରୀଗୁଡା ଗାଁର ନବୀନ ହରିଜନ ନିଜ ସାଇକେଲରେ ପାପଡାହାଣ୍ଡିରୁ ମନ୍ତ୍ରୀଗୁଡାକୁ ଫେରିବା ସମୟରେ ମୃଗ ବିହାର ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା। ନବୀନଙ୍କ ସାଇକେଲକୁ ଧକ୍କା ଦେବାରୁ ସେ ରାସ୍ତାକଡ଼କୁ ଛିଟିକି ପଡିଥିଲେ। ନବୀନଙ୍କୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

ଆଜି ସକାଳୁ କୋରାପୁଟ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ନବୀନଙ୍କ ମୃତ୍ୟୁ ଘଟିଥିଲା। ଅପରାହ୍ନରେ ନବୀନଙ୍କ ଶବ ଗାଁରେ ପହଞ୍ଚିବା ପରେ ଶବକୁ ନେଇ ନବରଙ୍ଗପୁର ବ୍ଲକ ଚିକିଲି ଗ୍ରାମ ନିକଟରେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ରଖି ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରିବା ଦାବି କରିଛନ୍ତି।

ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ନିତିନ କୁଶଳକର ଓ ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିନାହିଁ। ଅପରାହ୍ନ ୪ଟାରୁ ଏହି ରାସ୍ତା ରୋକ ଲାଗିରହିଥିବାରୁ ନବରଙ୍ଗପୁର-କଳାହାଣ୍ଡି ଓ ନବରଙ୍ଗପୁର-ଉମରକୋଟ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛ। ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଗାଡି ମୋଟର ଅଟକି ରହିଛି।

ସମ୍ବନ୍ଧିତ ଖବର