ରୋଗୀ ସେବାରେ ପାତରଅନ୍ତର ଅଭିଯୋଗ; ମାନବାଧିକାର କମିସନଙ୍କ ନିର୍ଦ୍ଦେଶରେ ତଦନ୍ତ

ସୁନ୍ଦରଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ପାତରଅନ୍ତର କରାଯାଉଥିବା ନେଇ ଏକ ନିର୍ଦ୍ଦିଷ୍ଟ ଅଭିଯୋଗକ୍ରମେ ଜାତୀୟ ମାନବାଧିକାରୀ କମିସନ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଜବାବ ତଲବ କରିଥିଲେ। ଗୁରୁବାର ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଅଭିଯୋଗର ତଦନ୍ତ କରାଯାଇଛି। ଅଭିଯୋଗ ଅନୁସାରେ, ଗତ ୨୦୨୧ ମେ ୨୮ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାମାନେ ଅଲଟ୍ରାସାଉଣ୍ଡ ପାଇଁ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରି ହଠାତ ସେଠାରେ ପହଞ୍ଚିଥିବା ଜିଲ୍ଲା ମୁଖ୍ୟଙ୍କ ପତ୍ନୀଙ୍କ ପରୀକ୍ଷା ପାଇଁ ଡାକ୍ତରମାନେ ତତ୍ପରତା ପ୍ରକାଶ କରିଥିଲେ। ଯାହାକୁ ନେଇ ଅପେକ୍ଷାରତ ଗର୍ଭବତୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମହିଳାମାନେ ଡାକ୍ତରଖାନାରେ ହୋହାଲ୍ଲା କରିଥିଲେ।

ସେତେବେଳେ ସେ ସମୟର ଭିଡିଓ ଭାଇରାଲ ହେବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଚର୍ଚ୍ଚାକୁ ଆସିଥିଲା। ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କୁ ଜଣେ ପୀଡ଼ିତାଙ୍କ ପକ୍ଷରୁ ଶଶାଙ୍କ ଶେଖର ମହାପାତ୍ର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ୯ ମାସ ପରେ ଘଟଣାର ତଦନ୍ତ କରାଯାଇଛି। ପୀଡ଼ିତା ମହିଳାଙ୍କୁ ଆଜି ତଦନ୍ତ ପରିସରକୁ ନିଆଯାଇଥିଲା ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦପ୍ତରରେ ରୁଦ୍ଧଦ୍ବାର ତଦନ୍ତ ହୋଇଥିଲା। ସାଧାରଣ ଲୋକ କିମ୍ବା ଗଣମାଧ୍ୟମର ପ୍ରବେଶକୁ ନିଷେଧ କରାଯାଇଥିଲା। ତେବେ ତଦନ୍ତରେ ସଂପୃକ୍ତ ମହିଳା, ଜଣେ ସମାଜସେବୀ ଓ ସେଦିନ ଡ୍ୟୁଟିରେ ଥିବା ଡାକ୍ତର, ଅଲ୍ଟ୍ରାସାଉଣ୍ଡ ଟେକନିସିଆନ, ହସ୍ପିଟାଲ ଅଧିକ୍ଷକ ଓ ନିଜେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ । ତେବେ ତଦନ୍ତକୁ ନେଇ ପୀଡ଼ିତା ଓ ଉପସ୍ଥିତ ସମାଜସେବୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁମାନେ ଅବହେଳା କରିଥିଲେ ସେମାନଙ୍କୁ ବସାଇ ତଦନ୍ତ କରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ‘ମାନବାଧିକାର କମିସନଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରାଯାଇଛି ଓ ଅଭିଯୋଗକାରୀଙ୍କ ବୟାନକୁ ଗୁରୁତ୍ବ ଦିଆଯାଇଛି ବୋଲି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି। ତଦନ୍ତ ରିପୋର୍ଟ କମିସନଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର