ସମ୍ବଲପୁର: କତରବଗା ଥାନା ଭଙ୍ଗାରୁଜା ଘଟଣାରେ ୯ ଗିରଫ

ସମ୍ବଲପୁର: କତରବଗା ଥାନା ଭଙ୍ଗାରୁଜା ଘଟଣାରେ ପୁଲିସ ରବିବାର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ପରେ ଥାନାରେ ଉତ୍ତେଜନା ଲାଗି ରହିଛି। ସୂଚନାଯୋଗ୍ୟ ଶନିବାର କତରବଗା ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ଉପରେ ଦ୍ରୁତଗାମୀ ବୋଲେରୋ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା।

ଯୁବକଙ୍କର ମୃତ୍ୟୁ ପରେ ଗ୍ରାମବାସୀ ଆଜି ଥାନା ଉତ୍ତେଜିତ ହୋଇ ଥାନା ପରିସରରେ ଉପଦ୍ରବ ସୃଷ୍ଟି କରିଥିଲେ। ଗ୍ରାମବାସୀମାନେ କ୍ଷତିପୂରଣ ସହ ଗାଡ଼ି ମାଲିକଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଥିଲେ। ଉତ୍ତେଜିତ ଗ୍ରାମବାସୀ ରାସ୍ତାରେ ଗଛ ପକାଇ ଅବରୋଧ କରିଥିଲେ। ଫଳରେ ସମ୍ବଲପୁର-ପରମାଣପୁର ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା।

ଆଜି ଅପରାହ୍ଣ ୨ଟାରେ ଥାନା ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ମାଗିବା ସହିତ ବିଭିନ୍ନ ଦାବି କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ଜିଲ୍ଳାପାଳ, ଏସ୍‌ପି ଓ ୩ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି।

ସମ୍ବନ୍ଧିତ ଖବର