ରୁଣ୍ଡିଆମ୍ବକୁ ଖଟିଆ ଆମ୍ବୁଲାନ୍ସ ଭରସା, ରାସ୍ତା‌ ଜବରଦଖଲ ହେତୁ ଖଟିଆରେ ବୁହା ହେଲେ ରୋଗୀ

କୋରାପୁଟ: ସରକାରୀ ଜମିକୁ ମାଡି ବସିଛନ୍ତି ଜଣେ ବ୍ୟକ୍ତି। ଏହି ଜମି ଦେଇ ଗାଁକୁ ରାସ୍ତା ଯୋଡା ଯିବାକୁ ରହିଥିବାବେଳେ କରାଇ ଦେଉନାହାନ୍ତି ଉକ୍ତ ବ୍ୟକ୍ତି। ଫଳରେ ମାସରେ ଏକାଧିକ ଥର ଦେଖିବାକୁ ମିଳିଛି ଖଟିଆ ଆମ୍ବୁଲାନ୍ସ। ଗତକାଲି ବିଳମ୍ବିତ ରାତିରେ ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ମସ୍ତିପୁଟ ପଞ୍ଚାୟତ ଅନ୍ତର୍ଗତ ରୁଣ୍ଡିଆମ୍ବ ଗାଁ‌ରେ। ବାରମ୍ବାର ଗାଁ ଲୋକେ ଜିଲ୍ଲାପ୍ରଶାସନ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଜଣାଇ ଜଣାଇ ଥକିବା ପରେ ଖଟିଆ ଆମ୍ବୁଲାନ୍ସକୁ ଭରସା କରୁଛନ୍ତି। ଜଣେ ବ୍ୟକ୍ତିଙ୍କ ପାଇଁ ଗାଁ ଯାକ ଲୋକ ହଇରାଣ ହେଉଥିବାବେଳେ ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ। ପୁଣି ଖଟିଆ ଭାରରେ ବୁହା ହେଲେ ରୋଗୀ।

ଗାଁର ଜଣେ ସ୍ତ୍ରୀ ଲୋକଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ପରିବାରବର୍ଗ। ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ରୋଗୀ ଜଣକୁ ଗ୍ରାମବାସୀମାନେ ଆମ୍ବୁଲାନ୍ସ ନିକଟକୁ ନେବାରେ ସମ୍ଭବ ହୋଇଛନ୍ତି। ପରେ ଆମ୍ବୁଲାନ୍ସରେ ଏସଏଲଏନ ମେଡିକାଲ କଲେଜକୁ ନେଇ ଚିକିତ୍ସା କରାଇଛନ୍ତି। ସୂଚନା ଥାଉ କି ଗତକାଲି ବିଳମ୍ବିତ ରାତିରେ ଗାଁର ତିରୁପିତି ମାଝୀଙ୍କ ସ୍ତ୍ରୀ ପରିମା ମାଝି(୩୦) ଗର୍ଭ ବେଦନା ସହିଥିଲେ । ଏହାପରେ ପରିବାରବର୍ଗ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସଟି ଆସି ମସ୍ତିପୁଟ ଦେଇଯାଇଥିବା‌ ୨୬ ନମ୍ବର ଜା‌ତୀୟ ରାଜପଥ ନିକଟରେ ପହଞ୍ଚିଥିଲା। ଏହି ରାସ୍ତାକୁ ଜଣେ ବ୍ୟକ୍ତି ଜବରଦଖଲ କରି ଦୀର୍ଘ ବର୍ଷ ରଖିଥିବାରୁ କିନ୍ତୁ ଗର୍ଭବତୀଙ୍କ ନିକଟକୁ ଯାଇପାରିଲା ନାହିଁ।

ଉପାୟ ନ ପାଇ ପରିବାରବର୍ଗ ଖଟିଆରେ ଗର୍ଭବତୀଙ୍କୁ ବୋହି କରି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଏହାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଗାଁ ମଧ୍ୟରେ ଭଲ ରାସ୍ତା ଓ ଜାତୀୟ ରାଜପଥରୁ ଗାଁକୁ ମାତ୍ର ୮କିଲୋମିଟର ରାସ୍ତା ରହିଛି। ଗାଁଠାରୁ ୫୦୦ମିଟର ଦୂରରେ ଏହି ବ୍ୟକ୍ତି ଜଣକ ରାସ୍ତାକୁ ଅବରୋଧ କରିଥିବାରୁ ରାସ୍ତାକାମ ହୋଇପାରିନାହିଁ। ଫଳରେ ଗାଁକୁ କୌଣସି ଯାନବାହାନ ଯାଇପାରେ ନାହିଁ। ଏନେଇ ରୁଣ୍ଡିଆମ୍ବ ଗ୍ରାମବାସୀ ମାର୍ଚ୍ଚମାସରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଦେଇଥିଲେ। ଜିଲ୍ଲାପାଳ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ହେଲେ ଏବେଯାଏ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର