ମଣ୍ଡି ଟାର୍ଗେଟ୍ ଆଉ ଆସିନି:ବିଭିନ୍ନ ମଣ୍ଡିରେ ପଡ଼ିଛି ୫୦ହଜାର କୁଇଣ୍ଟାଲ

ଜୟପୁର: ସବୁ ବର୍ଷ ମଣ୍ଡି ଆରମ୍ଭରୁ ବିବାଦ ଦେଖାଦେବା ସହ ପରବର୍ତ୍ତୀ ସମୟରେ ଶାନ୍ତି ଶୃଙ୍ଖଳାରେ ଧାନ ଉଠିଥାଏ। ତେବେ ଏହି ବର୍ଷ ଆରମ୍ଭରୁ ଶାନ୍ତିଶୃଙ୍ଖଳାରେ ଧାନ ଉଠୁଥିବା ବେଳେ ଅଚାନକ ଭାବେ ଟାର୍ଗେଟ ଆସିବା ବନ୍ଦ ହୋଇଥିଲା। ଏବଂ ବିବାଦ ଆରମ୍ଭ ହୋଇଥିଲା। ଗତ ଜାନୁଆରୀ ୧୫ତାରିଖ ଦିନ ସବୁ ମଣ୍ଡିରେ ଧାନ ଜମା ରଖିବାକୁ ଜିଲ୍ଲାପ୍ରଶାସନ ନିର୍ଦେଶ ଦେଇଥିଲା। ୧୦ହଜାର ୫୧୨ଜଣ ଚାଷୀଙ୍କର ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ ୯୯ଟି ମଣ୍ଡିରେ ଗଚ୍ଛିତ ରହିଥିବା ଜିଲ୍ଲାପ୍ରଶାସନ ହିଁ ଚିହ୍ନଟ କରିଥିଲେ।

ପରେ ୨ଟି ପର୍ଯ୍ୟାୟରେ ୬ଲକ୍ଷ ୮୩କୁଇଣ୍ଟାଲ ଧାନ କିଣିବା ପାଇଁ ସରକାର ଟାର୍ଗେଟ ଦେଇଥିଲେ। ତେବେ ବଳକା ଧାନ ଆଉ କିଣିବା ପାଇଁ ସରକାର ଟାର୍ଗେଟ ଦେଇନାହାନ୍ତି। ଏହାରି ମଧ୍ୟରେ ୬୯୦ଜଣ ଚାଷୀଙ୍କ ଟୋକନ୍ ପାଇଥିବା ବେଳେ ଏହି ବାଦବିବାଦ ମଧ୍ୟରେ ଏହା ବାତିଲ୍ ହୋଇଥିଲା।ତାହାର ପୁନଃ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାଯୋଗାଣ ବିଭାଗ ପକ୍ଷରୁ ସବୁ ଚାଷୀଙ୍କର ସଂପୁର୍ଣ୍ଣ ବିବରଣୀ ସହ ରାଜ୍ୟ ସରକାରଙ୍କୁ ଚିଠି ପଠାଇଥିଲେ। ତେବେ ତାହାର ପ୍ରତିଉତ୍ତର କିଛି ଆସି ନଥିବା କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ ତୁଳାରାମ ନାୟକ।

କିଛି କିଛି ମଣ୍ଡି ଚାଲିଥିବାବେଳେ ଆଜି କାଳିଆଗାଁ ମଣ୍ଡିରୁ ଧାନ ଉଠିଥିବା ବେଳେ ଘିଉରୀ ମଣ୍ଡିରେ ଉଠି ପାରିନି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ। ତେବେ ନୂଆ ଟାର୍ଗେଟ ଆସିଲେ ଯାଇକି ଏହି ଧାନ ଉଠାଇ ହେବ ବୋଲି କହିଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ୩୦ହଜାର ୪୬୯ଜଣ ଚାଷୀଙ୍କ ଠାରୁ ୨୭ଲକ୍ଷ ୫୯ହଜାର କୁଇଣ୍ଟାଲ ଧାନ କିଣା ସରିଛି। ଅନ୍ୟ ପକ୍ଷରେ ଏଭଳି ଶତାଧିକ ଚାଷୀ ଗତ ୨୫ଦିନ ହେବ ମଣ୍ଡିରେ ଧାନ ପକାଇ କେବେ ପ୍ରଶାସନ କିଣିବ ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷରେ କିଛି ଚାଷୀଙ୍କର ଧାନ କିଣା ସରିବା ପରେ ବି ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିନଥିବା ଅଭିଯୋଗ ହୋଇଛି। କାମତା ଲ୍ୟାମ୍ପ ଅଧିନରେ ଏଭଳି କିଛି ଚାଷୀଙ୍କର ହୋଇଥିବା ବି ଅଭିଯୋଗ ହୋଇଛି। ତେବେ ରାଜ୍ୟ ସରକାର ନୂଆ ଟାର୍ଗେଟ ଦେବେ ନା ନାହିଁ, ବାତିଲ୍ ୬୯୦ଟୋକନ୍ ପୁନଃ କାର୍ଯ୍ୟକ୍ଷମ ହେବ ନା ନାହିଁ ତାକୁ ସନ୍ଦେହର ଦୋଛକିରେ ।

ସମ୍ବନ୍ଧିତ ଖବର