ଗାଇଡ୍‌ଲାଇନ୍ ତା’ବାଟରେ, ବିନା ମାସ୍କ୍‌ରେ ବୁଲୁଛନ୍ତି ଲୋକ

ଘୁ.ଉଦୟଗିରି : ଦେଶର କିଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପକ୍ଷରୁ ଗାଇଡ଼୍‌ଲାଇନ ଜାରି ହୋଇଛି। କିନ୍ତୁ ଗାଇଡ଼୍‌ଲାଇନ ତା’ବାଟରେ ରହିଥିବା ବେଳେ ଲୋକେ କଟକଣାକୁ ଫୁ କରି ମନଇଚ୍ଛା ବୁଲୁଛନ୍ତି। ସାମାଜିକ ଦୂରତ୍ବ ଓ ମାସ୍କ୍‌ ପିନ୍ଧିବା ପୁରା ଭୁଲିଗଲେଣି କହି‌ଲେ ଚ‌େଳ। ଯେତେ ପ୍ରଚାରପ୍ରସାର କଲେ ମଧ୍ୟ ଏହାକୁ କେହି ମାନୁନଥିବା ଦେଖିବାକୁ ମିଳିଛି। ଘୁ.ଉଦୟଗିରିରେ କଟକଣା କିଛି ନଥିବା ଭଳି ମନେହେଉଛି।

ବିନା ମାସ୍କ୍‌ଧାରୀଙ୍କ ଉପରେ କଡ଼ା ନଜର ରଖି ପ୍ରଶାସନ ଏବଂ ପୁଲିସ କିଛିଦିନ ତତ୍ପରତା ଦେଖାଇଲେ। ସହରରେ ବୁଲିବୁଲି ବିନା ମାସ୍କ୍‌ଧାରୀଙ୍କ ଠାରୁ ଜରିମାନା ଆଦାୟ କରିବା ସହ ଲୋକଙ୍କୁ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ରହିବାକୁ ନିବେଦନ କରିଥିଲେ। ହେଲେ ଏବେ କିଛି ଦିନ ହେଲା ପୁଲିସ ଏବଂ ପ୍ରଶାସନ ସୁପ୍ତ ହୋଇଯିବା ଯୋଗୁଁ ସାଧାରଣ ଜନତା ବେଫିକର ହୋଇ ବିନା ମାସ୍କ୍‌ରେ ସହରରେ ଘୁରିବୁଲୁଥିବା ବେଳେ ସାମାଜିକ ଦୂରତ୍ବ ରହୁନଥିବା ଦେଖିବାକୁ ମିଳୁଛି।

ବିଶେଷଭାବେ ଯୁବପିଢି ବିନା ମାସ୍କ୍‌ରେ ବୁଲୁଛନ୍ତି। ଆଗକୁ କରୋନା ସଂକ୍ରମଣ ସ୍ଥିତି ଆହୁରି ବିଗିଡିବା ନେଇ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଥିବା ବେଳେ କଟକଣାକୁ ନମାନିବା ବିପଦକୁ ବରଣ କରିବା ଭଳି ମନେହେଉଛି। ଅନ୍ୟ ପକ୍ଷରେ ବାହାର ରାଜ୍ୟରୁ କୌଣସି ଲୋକ ଫେରିଲେ ପ୍ରଶାସନ ନିକଟରେ କୌଣସି ସୂଚନା ରହୁନି। କିମ୍ବା ସେହି ବ୍ୟକ୍ତିଙ୍କ କରୋନା ପରୀକ୍ଷା ବି ହେଉନଥିବା ଜଣାପଡ଼ିଛି। ଏପରିକି ସଙ୍ଗରୋଧରେ ରହିବାକୁ ସରକାର ଗାଇଡ଼ଲାଇନ ଜାରି କରିଥିବା ବେଳେ ଏହାକୁ ବି କଡ଼ାକଡ଼ି ପାଳନ ହେଉନଥିବା ସୂଚନା ମିଳୁଛି।

ସମ୍ବନ୍ଧିତ ଖବର