ସ୍ଥାଣୁ ପଡ଼ିଛି କ୍ଷୁଦ୍ର ଜଳସେଚନ ବିଭାଗ, ଗତ ୧୦ ବର୍ଷ ମଧ୍ୟରେ କୌଣସି ନୂତନ ପ୍ରକଳ୍ପ ହୋଇନାହିଁ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଥିବା କ୍ଷୁଦ୍ର ଜଳ ସେଚନ ବିଭାଗ ପ୍ରାୟତଃ ସ୍ଥାଣୁ ହୋଇଯାଇଛି । ଗତ ୧୦ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ କୌଣସି ବଡ଼ ପ୍ରକଳ୍ପ ହାତକୁ ନିଆଯାଇନାହିଁ । କେବଳ ବର୍ଷକୁ କେତେକ ଚେକ୍ ଡ୍ୟାମ୍ ନିର୍ମାଣ କରି ନିଜର ଦାୟିତ୍ୱ ତୁଲାଇ ଦେଉଛି ।

ଜିଲ୍ଲାରେ ମୋଟ ୧ଲକ୍ଷ ୩୮ ହଜାର ହେକ୍ଟର ଚାଷ ଜମି ରହିଛି । ଏହା ମଧ୍ୟରୁ ୫୦ ଭାଗ ଜମି ବର୍ଷା ଜଳ ଭରସାରେ ଚାଷ ହୋଇଥାଏ । ମୋଟ ଜମିର ୪୦ ପ୍ରତିଶତ ଅର୍ଥାତ୍ ୫୭ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି । ଗତ ୧୦ ବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ପ୍ରାୟ ୪୦ରୁ ଉଦ୍ଧ୍ୱର୍ ପ୍ରାକୃତିକ ନାଳ ମଧ୍ୟରୁ ୨୦ ପ୍ରତିଶତ ପୋତି ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଅଂଚଳ ଆଦ୍ରଭୂମି, ନଦୀ ଉପତ୍ୟାକା ଓ ଉପକୂଳବର୍ତୀ ସମତଳ ଅଂଚଳରେ ରହିଥିଲେ ମଧ୍ୟ ବର୍ଷା ଋତୁ ବ୍ୟତୀତ ଅନ୍ୟ ଋତୁରେ ଚାଷଜମିକୁ ଆବଶ୍ୟକ ଜଳ ଯୋଗାଣ ହୋଇପାରୁନାହିଁ । ଏଭଳି ପରିସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାରେ ଥିବା କ୍ଷୁଦ୍ର ଜଳ ସେଚନ ବିଭାଗ କେବଳ ନାମକୁ ମାତ୍ର ରହିଥିବା ଓ ଗତ ୧୦ ବର୍ଷ ମଧ୍ୟରେ ଜିଲ୍ଲାରେ କୌଣସି ଆଖିଦୃଶିଆ ବଡ଼ ପ୍ରକଳ୍ପ ହାତକୁ ନିଆଯାଇନାହିଁ ।

କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧାରେ ୧୭୫ଟି ପ୍ରକଳ୍ପ ଜରିଆରେ ଖରିଫ ଋତୁ ପାଇଁ ୨୧ହଜାର ୭୧୨ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ପାଇଁ ଯୋଜନା ହୋଇଥିବା ବେଳେ ବାସ୍ତବରେ ୧୪ହଜାର ୬୪୬ ହେକ୍ଟର ଜମିକୁ ପାଣି ମାଡ଼ୁଛି । ସେହିଭଳି ରବି ଋତୁରେ ୨୩୩୯ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ପାଇଁ ଯୋଜନା ହୋଇଥିବା ବେଳେ ବାସ୍ତବରେ ୮୮୮ ହେକ୍ଟର ଜମିକୁ ହିଁ ଜଳ ଯୋଗାଣ ହୋଇପାରୁଛି । କେବଳ ଏହାନୁହେଁ ବାଣପୁର, ବାଲୁଗାଁ ଅଂଚଳର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ସାଳିଆ ଡ୍ୟାମ୍ର ସଂଯୁକ୍ତ ଏମ୍ଆଇପି ପ୍ରକଳ୍ପ ଗତ ୧୬ ବର୍ଷ ଧରି ପଡ଼ି ରହିଛି । ଗତ ୩ ବର୍ଷ ମଧ୍ୟରେ ଦୁଇ ଥର ଏନେଇ ଟେଣ୍ଡର ଆହ୍ୱାନ କରାଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇପାରିନାହିଁ । ସେହିଭଳି ବାଣପୁରର ଆୟତପୁର ଓ ବୋଲଗଡ଼ର ହାତିଆଶୁଣିରେ ଦୁଇଟି ପ୍ରକଳ୍ପ ପାଇଁ ଯୋଜନା କରାଯାଇଛି । କିନ୍ତୁ ଏହି ପ୍ରକଳ୍ପ ପାଇଁ ଏଯାଏଁ ଅନୁମୋଦନ ମିଳିନାହିଁ ।

ଏନେଇ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗତ ଜ୍ୟୋତି ଶତପଥିଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ନୂଆ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ହୋଇପାରୁନାହିଁ । ଏଣୁ ଏହାର ବିକଳ୍ପ ସ୍ୱରୂପ ଚେକ୍ ଡ୍ୟାମ୍ କେବଳ ନିର୍ମାଣ କରାଯାଉଛି । ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୪୦୦ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି । ସାଳିଆ ଡ୍ୟାମ୍ ସଂଯୁକ୍ତ ପ୍ରକଳ୍ପ ସମ୍ପର୍କରେ କହିଛନ୍ତି ଯେ ଏହି ପ୍ରକଳ୍ପ ୨୦୦୫-୦୬ରେ ଯୋଜନା ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କାମ ଆଗେଇ ପାରୁନାହିଁ । ଲୋକମାନେ ନିର୍ଦ୍ଧାରିତ ଜମି ଦର ଠାରୁ ଅଧିକ କ୍ଷତିପୂରଣ ଦାବି କରୁଛନ୍ତି । କେବଳ ଏହାନୁହେଁ, ଯେଉଁ ଲୋକର ୨ ଏକର ଜମିରୁ ଦେଢ଼ ଏକର ଜମି ଅଧିଗ୍ରହଣ ପାଇଁ ଚୟନ କରାଯାଇଛି ସେହି ବ୍ୟକ୍ତି ସଂପୂର୍ଣ୍ଣ ଜମି ନେବାକୁ ଦାବି କରୁଛି । ଏନେଇ ହାଇକୋର୍ଟରେ ମଧ୍ୟ ମାମଲା ବିଚାର ହେବା ପରେ ୨ ଥର ପ୍ରାୟ ୮୯ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ ମଧ୍ୟ ହୋଇଛି । କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ କାମ ହୋଇପାରିନାହିଁ । ଖୋଦ୍ ଜିଲ୍ଲାପାଳ ଯାଇ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି । ଚଳିତ ବର୍ଷ ମଧ୍ୟ ପୁଣି ଟେଣ୍ଡର ଆହ୍ୱାନ କରାଯିବ ।

ସମ୍ବନ୍ଧିତ ଖବର