ନୂଆପଡାରେ ବଜ୍ରପାତ, ନାବାଳିକା ସମେତ ୩ ମୃତ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା ଗ୍ରାମପଞ୍ଚାୟତର ଠୋଙ୍ଗୋରୋମାଲ ଗ୍ରାମରେ ବଜ୍ରାଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଦିନ ପ୍ରାୟ ୧୧.୩୦ମିନିଟ ସମୟରେ ଗ୍ରାମରେ ଥିବା ପୋଖରୀରେ ୧୫ରୁ ୨୦ ଜଣ ଗାଧୋଉଥିଲେ । ସେହି ସମୟରେ ହଠାତ ବଜ୍ରାଘାତ ହୋଇଥିଲା। ପୋଖରୀରେ ଗାଧୋଉଥିବା ଠୋଙ୍ଗୋରୋମାଲ ଗ୍ରାମର ପ୍ରମିଳା ମାଝୀ (୧୪)ଙ୍କ ଶରୀରରେ ବିଜୁଳି ମାଡ଼ ହୋଇଥିଲା । ସେହିଠାରେ ସେ ଅଚେତ ହୋଇପଡିଯାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ତରବୋଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତରବୋଡ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଲାନ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତ ପ୍ରମିଳା ମାଝୀଙ୍କ ସାଙ୍ଗରେ ତାଙ୍କ ମାଆ ଦେମତି ମାଝୀ, ବଡ ଭଉଣୀ ଗୌରୀ ମାଝୀ , ଚନ୍ଦ୍ରିକା ମାଝୀ ମଧ୍ୟ ଗାଧୋଉଥିଲେ। ବର୍ଷା ଆସିବାରୁ ଶୀଘ୍ର ଘରକୁ ଯିବାକୁ ପ୍ରମିଳା ଉପରକୁ ଉଠିଯାଇଥିଲେ ଓ ଆଉ ସମସ୍ତେ ପାଣି ଭିତରେ ଥିବାରୁ ଅଳ୍ପକେ ବଞ୍ଚିଗଲେ ବୋଲି କହିଛନ୍ତି ।

ବଜ୍ରପାତ ଯୋଗୁଁ ଜିଲ୍ଲାରେ ଆଜି ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟମାନେ ହେଲେ ନୂଆପଡ଼ା ଥାନା ଅନ୍ତର୍ଗତ ରଟାପାଲି ଗ୍ରାମର ପିଲା ହରିଜନ (୫୫)। ସେ ଘର ପଛପଟେ ମୂଷାଗାତରେ ମାଟି ଦେଉଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି କୋମନା ଥାନା ଅନ୍ତର୍ଗତ ଷଡ଼ଙ୍ଗୀପଡ଼ାର ଭରତ ଚନ୍ଦ୍ର ସବର (୨୨) ଆଜି ଅପରାହ୍ନରେ ବଜ୍ରପାତର ଶିକାର ହୋଇଥିଲେ। ନିକଟସ୍ଥ ପୋଖରୀରୁ ଗୋଧୋଇ ସାରି ଘରକୁ ଯାଉଥିବା ସମୟରେ ବଜ୍ରପାତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର