ସୁରତରେ କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକ ମୃତ

ବ୍ରହ୍ମପୁର: ସୁରତରେ ଏକ ଘରୋଇ କାରଖାନାରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି। ତାଙ୍କର ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଆ ଶ୍ରମିକ ଜଣକ ସୁରତର ଧରତି ନଗରସ୍ଥିତ ଲୋନ୍‌ସ କମ୍ପାନିରେ କାମ କରୁଥିଲେ। ୮ଦିନ ତଳେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ।

ତାଙ୍କର ଜଣେ ସଂପର୍କୀୟଙ୍କ ଅନୁସାରେ, ହଠାତ ଶ୍ରମିକ ଜଣକ ଅସୁସ୍ଥ ହୋଇପଡ଼ିବା ଫଳରେ ତାଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଇଥିଲା। ଏହାପ‌ରେ ସେ ଚିକିତ୍ସାଧିନ ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କୁ  ସୁରତ କୋଭିଡ଼ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ଖବର ଆସିଛି। ତାଙ୍କର ବୟସ ମାତ୍ର ୨୭ବର୍ଷ ବୋଲି ଜଣାପଡ଼ିଛି। ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ୍‌ ଝରପାରି ପଞ୍ଚାୟତରେ ବୋଲି ସୂଚନା ରହିଛି। ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପ୍ରଥମ ଘଟଣା।

ଆଜି ତାଙ୍କ ପରିବାର ଏହି ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସୁରତ‌ରେ ଏବେ ବି ବହୁ ଓଡ଼ିଆ ଶ୍ରମିକ ରହିଯାଇଛନ୍ତି। ସେମାନେ ଗରକୁ ଫେରିବା ଲାଗି ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର