ଯୁକ୍ତ ୨ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ: ମୟୂରଭଞ୍ଜରେ କମିଲା ପାସ୍‌ହାର, ୯୦ପ୍ରତିଶତ ଉପରେ ମାତ୍ର ଜଣେ ଛାତ୍ର

କ୍ରମାଗତ ଭାବେ ନିମ୍ନଗାମୀ ହେବା ଚିନ୍ତାଜନକ, ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ୧୦୧୫ ଛାତ୍ରଛାତ୍ରୀ

ବାରିପଦା: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇଛି। ଆଜି ପ୍ରକାଶ ପାଇଥିବା ଏହି ପରୀକ୍ଷାଫଳ କିନ୍ତୁ ମୟୂରଭଞ୍ଜ ଜିଲ୍ଲାପାଇଁ ଖୁସି ଆଣିନାହିଁ। ଜିଲ୍ଲାରେ ଚଳିତ ବର୍ଷ ପାସ୍‌ହାର କମିଛି। ଗତବର୍ଷ ଜିଲ୍ଲାରେ +୨ ବିଜ୍ଞାନରେ ପାସ୍‌ହାର ୬୫.୦୯ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଏହା ୬୪.୪୨କୁ ଖସିଆସିଛି। ଏହି ଧାରା କ୍ରମାଗତଭାବେ କିଛିବର୍ଷ ଧରି ଚାଲିଆସୁଛି। ଯାହାକି ଚିନ୍ତଜନକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

ତେବେ ଚଳିତ ବର୍ଷ ୧୦୧୫ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଚଳିତ ଥର ୯୬ ମହାବିଦ୍ୟାଳୟରୁ ମୋଟ ୫ ହଜାର ୩୧୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୫,୩୧୩ ଜଣ ପରୀକ୍ଷାର୍ଥୀ ୭୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୬୪.୪୨ ପ୍ରତିଶତ ହାରରେ ୩ ହଜାର ୪୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପ୍ରଥମ ଶ୍ରେଣୀରେ ୧୦୧୫ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨ୟ ଶ୍ରେଣୀରେ ୧୨୩୭ ଜଣ ଏବଂ ୧୧୩୯ଜଣ ୩ୟ ଶ୍ରେଣୀ ଏବଂ କମ୍ପାର୍ଟମେଣ୍ଟେରେ ୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲାରୁ ଜଣେ ମାତ୍ର ଛାତ୍ର ୯୦ପ୍ରତିଶତରୁ ଊର୍ଧ୍ଵ ରଖି କୃତକାର୍ଯ୍ୟ ହୋଇଛନ୍ତି। ଏମ୍ପିସି ଜୁନିୟର୍‌ ମହାବିଦ୍ୟାଳୟର ଛାତ୍ର ଆଶିଷ କୁମାର ମହାନ୍ତ ଏହି ସଫଳତା ପାଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ଉଦଳା ବ୍ଲକ୍‌ର ଏକ ଶିକ୍ଷାନୁଷ୍ଠାନ ଜିରୋ ରେଜଲ୍‌ଟ୍‌ କରିଛି।

ସମ୍ବନ୍ଧିତ ଖବର