ବ୍ରହ୍ମପୁର ବଡ଼ ମେଡିକାଲରେ ଅଘଟଣ: ନିଜ ହାତ ପାପୁଲିରୁ ୩ଟି ଆଙ୍ଗୁଠି କାଟି ଛିଣ୍ଡାଇ ଦେଲେ ରୋଗୀ

ବ୍ରହ୍ମପୁର: ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇ ଏଠାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ନିଜ ବାମ ହାତର ପାପୁଲିରୁ ୩ଟି ଆଙ୍ଗୁଠି ବ୍ଲେଡରେ କାଟି ଛିଣ୍ଡାଇ ଦେଇଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ଗଙ୍ଗା ମାଡ଼କାମୀ। ମାଲକାନଗିରି ଜିଲ୍ଲାର ଛେଳିମାଳ ଗାଁର ୩୫ ବର୍ଷୀୟ ରୋଗୀ ସାମାନ୍ୟ ମାନସିକ ରୋଗୀ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁସାରେ ଗଙ୍ଗା ମାଡକାମୀ ଗତ ୯ ତାରିଖରେ ଏକ ୪୦୭ ଗାଡ଼ିରେ ଯାଉଥିବା ବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲୋ। ଗାଡ଼ି ଓଲଟି ପଡ଼ିବାରୁ ସେ ଚାପି ହୋଇଯାଇଥିଲେ। ସେ ଗାଡ଼ିର ପଛପଟରେ ଥିବା ଟ୍ରଲିରେ ଅନ୍ୟମାନଙ୍କ ସହିତ ବସିଥିଲେ। ଗାଡ଼ିର ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ତାଙ୍କର ୪ଟି ଆଙ୍ଗୁଠି କଟି ଯାଇଥିଲା।

ଦୁର୍ଘଟଣା ପରେ ଗଙ୍ଗାଙ୍କୁ ଗତ ୯ ତାରିଖରେ କେରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ୧୧ ତାରିଖରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା।

ଆଜି ଅପରାହ୍ନରେ ସେ ହସ୍ପିଟାଲର ବେଡରୁ ଡାକ୍ତର ଓ ନର୍ସଙ୍କ ଅଜାଣତରେ ଖସିଯାଇଥିଲେ। ହସ୍‌ପିଟାଲର ଶୌଚଳାୟ ପାଖରେ ପଡ଼ିଥିବା ଏକ ବ୍ଲେଡରେ ନିଜ ବାମ ହାତର ପାପୁଲିରୁ ୩ଟି ଆଙ୍ଗୁଠିକୁ କାଟି ଦେଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ହସ୍‌ପିଟାଲ ପରିସରରେ ପ୍ରଚାରିତ ହୋଇଥିଲା। ଘଟଣାସ୍ଥଳରୁ ଗଙ୍ଗାଙ୍କୁ ରକ୍ତାକ୍ତ ଅବସ୍ଥାରେ ପୁଣି ଥରେ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଅସ୍ଥିଶଲ୍ୟ ଓ୍ଵାର୍ଡରେ ଭର୍ତ୍ତି କରାଯାଇ ଚକିତ୍ସା କରାଯାଇଛି। ମାନସିକ ବିଭାଗର ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ କହିଛନ୍ତି, ଗଙ୍ଗାଙ୍କୁ ବୁଝାସୁଝା କରି ସେ ଔଷଧ ଦେଇଛନ୍ତି। ତେବେ ପରିବାର ଲୋକଙ୍କ କହିବାନ ଅନୁସାରେ ସାମନ୍ୟ ମାନସିକ ରୋଗୀ ଥିଲେ।

ସମ୍ବନ୍ଧିତ ଖବର