ଧାନକ୍ଷେତରୁ କୃଷିବିଭାଗ ଟିମ୍‌ର ନମୁନା ସଂଗ୍ରହ

ବାଲିକୁଦା: ବାଲିକୁଦା ବ୍ଲକ୍‌ର ଚାଷ ଜମିରେ ଏବେ ଚକଡ଼ା ରୋଗପୋକ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ରୋଗପୋକ ଉପଦ୍ରବରେ ଶହ ଶହ ହେକ୍ଟର ଜମିର ଧାନ ନଷ୍ଟ ହୋଇ ଗଲାଣି ବୋଲି ଚାଷୀ ମହଲରୁ ଅଭିଯୋଗ ହୋଇଛି। ଏଣେ ବାଲିକୁଦା କୃଷି ବିଭାଗ ମଧ୍ୟ ଅଭିଯୋଗ ପାଇବା ପରେ ଘଟଣାକୁ ଗୁରୁତ୍ବର ସହ ନେଇ ସ୍ଥିତି ଅନୁଧ୍ୟାନ କରିଛି। କୃଷି ବିଜ୍ଞାନକେନ୍ଦ୍ରର ବରିଷ୍ଠ ବେଜ୍ଞାନିକ ପ୍ରଦୀପ୍ତ ମାଝୀ, ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ପ୍ରଫୁଲ୍ଲ ସେଠୀ, ବ୍ଲକ୍‌ କୃଷି ଅଧିକାରୀ ସ୍ମୃତିକାନ୍ତ ‌ଜେନା, ମାଛଗାଁ ସହକାରୀ କୃଷି ଅଧିକାରୀ ଯୁଗସ୍ମିତା ପାତ୍ର, ଏଏଓ ପେଷ୍ଟ ସର୍ଭେଲେନ୍ସ ସ୍ବାଗତିକା ମିଶ୍ର ଅରିଲୋ ଗ୍ରାମ ନିକଟରେ ଥିବା ଚକଡ଼ା ରୋଗପୋକ ଦ୍ବାରା କ୍ଷତିଗ୍ରସ୍ତ ଧାନ ଚାଷଜମି ବୁଲି ଦେଖି ନମୁନା ସଂଗ୍ରହ କରି ଫେରିଛନ୍ତି। ବ୍ଲକ୍‌ କୃଷି ଅଧିକାରୀ ଶ୍ରୀ ଜେନା କହିଛନ୍ତି ବ୍ଲକ୍‌ର ପ୍ରାୟ ୪୪ ଏକର ଧାନଜମିରେ ଏହି ରୋଗପୋକ ଲାଗିଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି। ତେବେ ତୁରନ୍ତ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ କୀଟନାଶକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବଜାରର ଯେକୌଣସି ସ୍ଥାନରୁ ସରକାରଙ୍କ ଧାର୍ଯ୍ୟ ୫୦ ପ୍ରତିଶତ ରିହାତି ମୂଲ୍ୟରେ ଏହି କୀଟନାଶକ ଉପଲବ୍ଧ। ଖରା ସାଙ୍ଗକୁ ମଝିରେ ମଝିରେ କୋହଲା ପାଗ ଏହି ରୋଗପୋକ ବଂଶ ବୃଦ୍ଧିରେ ସହାୟକ ହୋଇଥାଏ। ଏବେ ସେପରି ପାଗ ଚକଡ଼ା ପୋକଙ୍କ ପାଇଁ ଅନୁକୂଳ ହୋଇଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଏହି ରୋଗର ପ୍ରାଦୁର୍ଭାବ ସ୍ବଳ୍ପରୁ ମଧ୍ୟମ ଧରଣର ରହିଛି। କିନ୍ତୁ ଠିକଣା ସମୟରେ ଏହାକୁ ନିୟନ୍ତ୍ରଣ କରାନଗଲେ ଘାତକ ସାବ୍ୟସ୍ତ ହେବ। ତୁରନ୍ତ ଆବଶ୍ୟକ ପରାମର୍ଶ ପାଇଁ ଚାଷୀମାନେ କୃଷି ବିଭାଗ ସହ ଯୋଗଯୋଗ କରିବା ଉଚିତ ବୋଲି ବ୍ଲକ୍‌ କୃଷି ଅଧିକାରୀ ଶ୍ରୀ ଜେନା ‘ସମ୍ବାଦ’କୁ କହିଛନ୍ତି। ଅନ୍ୟପଟେ କୃଷି ବିଭ‌ାଗ ଏଦିଗରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଚାଷୀ ଲିଙ୍ଗରାଜ ଶତପଥୀ, ପ୍ରଫୁଲ୍ଲ ମିଶ୍ର, ପ୍ରଶାନ୍ତ ଷଡ଼ଙ୍ଗୀ, ଦେବେନ୍ଦ୍ର ଶତପଥୀ, ପ୍ରିୟବ୍ରତ ଶତପଥୀ, ଅବିନାଶ ସାହାଣି, ପ୍ରଭାକର ଦାସ, ଜ୍ଞାନେନ୍ଦ୍ର ମହାନ୍ତି, ବଳରାମ ସାହାଣି, ସୁବାସ ଶତପଥୀ, ବିଭୁଦ ପାତ୍ର, ବିଜୟ ଖୁଣ୍ଟିଆ, କାହ୍ନୁ ଚରଣ ଶତପଥୀ, ପ୍ରଦୀପ୍ତ ସ୍ବାଇଁ, ଅର୍ଜୁନ ଶତପଥୀ, ଦେବେନ୍ଦ୍ର ମଲ୍ଲିକ, କୁମାର ରଂଜନ ଦାସ, ଗିରିଧାରୀ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏପରିକି ଚାଷୀ ଅସନ୍ତୋଷକୁ ନେଇ ଆନ୍ଦୋଳନ ଦାନା ବାନ୍ଧୁଥିବା ସୂଚନା ମିଳିଛି। ଶାସନ ଅଳାଭର, ତେରତାଙ୍ଗ, ଅଲିକଣା, ଅରିଲ, ରଣପୁର ଆଦି ଗାଁରୁ ଏଭଳି ଚକଡ଼ା ରୋଗପୋକର ପ୍ରାବଲ୍ୟ ଦେଖିବାକୁ ମିଳିଛି। କୃଷି ଋଣ, ଗ୍ରୁପ ଲୋନ ଓ ହାତ ଉଧାରୀ କରି ଚାଷ କରିଥିବା ଚାଷୀମାନେ ଏବେ ଋଣ ପରିଶୋଧ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ କୃଷି ବିଭାଗ ବିହିତ ବ୍ୟବସ୍ଥା ଗ୍ରହଣ ନକଲେ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର