ପେଟ୍ରୋଲ୍‌ ପମ୍ପରେ ବୋମାମାଡ଼ କରି ଲୁଟ୍‌ ଉଦ୍ୟମ, ସାହସର ସହ କାବୁ କଲେ ସେଲ୍‌ସମ୍ୟାନ; ୨ ଗିରଫ

ଛତିଆ: ବଡ଼ଚଣା ବ୍ଲକ୍‌ ଛତିଆ-କଳକଳା ରାସ୍ତାର ବୈରୀ ଥାନା ନିକଟରେ ଥିବା ଇଣ୍ତିଆନ୍‌ ଅଏଲର ଅଭିରାମ ସେବାକେନ୍ଦ୍ର ପେଟ୍ରୋଲ ପମ୍ପରେ ଗତକାଲି (ଶୁକ୍ରବାର) ବିଳମ୍ବିତ ବୋମାମାଡ଼ କରି ଲୁଟ୍‌ ଉଦ୍ୟମ ହୋଇଛି। ବୋମାମାଡ଼ ‌ସତ୍ତ୍ବେ ପେଟ୍ରୋଲ ପମ୍ପର ସେଲ୍‌ସମ୍ୟାନ ସାହସର ସହିତ ଜଣେ ଦୁର୍ବୃତ୍ତକୁ ମାଡ଼ିବସିବାରୁ ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଯାଇଥିଲା। ଧସ୍ତାଧସ୍ତି ହେବା ମଧ୍ୟରେ ଖବର ପାଇ ପୁଲିସ ପହଞ୍ଚିଯିବାରୁ ୨ ଦୁର୍ବୃତ୍ତ ଖସିପାରି ନଥିଲେ। ଗିରଫ ଯୁବକଦ୍ବୟ ହେଲେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଦେଓଗାଁ ଗ୍ରାମର ସୁଶାନ୍ତ ପତି (୩୪) ଓ କାଳିଆ ପତି (୨୮)। ସେମାନେ ବ୍ୟବହାର କରୁଥିବା ବାଇକ୍‌ (ଓଆର‌୍‌ ୦୬ ଜି ୭୮୨୦)କୁ ପୁଲିସ ଜବତ କରିଛି।

ଗତକାଲି ରାତି ୧୦ରୁ ସାଢ଼େ ୧୦ଟା ସମୟ ହେବ। ଦୁଇ ଯୁବକ ଏକ ବାଇକ୍‌ରେ ଆସି ତେଲ ପକାଇବା ବାହାନାରେ ଆସି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଏହି ସମୟରେ ଟାଙ୍କିରେ କର୍ମଚାରୀ ହିମା˚ଶୁ ସାମଲ ଡ୍ୟୁଟିରେ ଥିଲେ। ସଂପୃକ୍ତ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ହିମାଂଶୁ ପ୍ରତିବାଦ କରିବାରୁ ଅନ୍ୟଜଣେ ଯୁବକ ଦୁଇଟି ବୋମା ଫିଙ୍ଗିଥିଲା। ଫଳରେ ହିମା˚ଶୁଙ୍କ ମୁହଁ କ୍ଷତବିକ୍ଷତ ହୋଇଯାଇଥିଲା। ତଥାପି ସାହସର ସହିତ ହିମା˚ଶୁ ଜଣେ ଦୁର୍ବୃତ୍ତକୁ ମାଡ଼ିବସିଥିଲେ। ଅନ୍ୟଜଣେ ଦୁର୍ବୃତ୍ତ ନିଜ ସହଯୋଗୀକୁ ଛଡ଼ାଇବାକୁ ଚେଷ୍ଟା କରିଥିଲା। କିଛି ସମୟରେ ଧସ୍ତାଧସ୍ତି ଓ ଗଡ଼ାପଡ଼ା ଲାଗିଥିଲା।

ଏହି ସମୟରେ ରାସ୍ତାରେ ଯାଉଥିବା ଜଣେ ବାଇକ୍ ଚାଳକ ବୋମାମାଡ଼ ବିଷୟରେ ବୈରୀ ଥାନାରେ ଜଣାଇଥିଲେ। ତତ୍‌କ୍ଷଣାତ ବୈରୀ ଥାନା ଏସ୍‌ଆଇ ବିଶ୍ବଜିତ୍‌ ବିଶ୍ବାଳ, ଏଏସ୍‌ଆଇ ଅନିଲ ସାହୁ, କନେଷ୍ଟବଳ ଚୌଧୁରୀ ଲକ୍ଷ୍ମଣ ମିଶ୍ର, ଅଫସର ଅଲ୍ଲି ରାଜ୍‌, ସୁଶାନ୍ତ ରାଉତ‌ ଓ ହୃଷୀକେଶ ପୃଷ୍ଟି ସଦଳବଳ ପହଞ୍ଚି ଉଭୟଙ୍କୁ କାବୁ କରିଥିଲେ। ଏ ସଂକ୍ରାନ୍ତରେ ବୈରୀ ଥାନାରେ ୩୫/୨୧ ରେ ଉଭୟଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। ଜାମିନ୍‌ ଆବେଦନ ଖାରଜ ହୋଇଯିବାରୁ ଦୁହିଁଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର