ଦୁଇ ବିଧବାଙ୍କୁ ମିଳୁନି ଭତ୍ତା କି ଆବାସ ଯୋଜନାରେ ଘର

ଜୟପୁର: ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ବୃଦ୍ଧ/ବୃଦ୍ଧା, ଭିନ୍ନକ୍ଷମ, ବିଧବା ମାନଙ୍କ ପାଇଁ ଭତ୍ତା ଦିଆଯାଉଛି। ମାଟି ଘରେ ରହୁଥିବା ଲୋକଙ୍କୁ ଆବାସ ଯୋଜନାରେ ପକ୍କ‌ା ଘର ପାଇଁ ଅର୍ଥ ଦିଆଯାଉଛି। ହେଲେ ତାହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଯାହାର ଜ୍ୱଳନ୍ତ ଉଦାହାରଣ ସହର ମଧ୍ୟରେ ଥିବା ବାପୁଜୀନଗର ଓ ‌ଓଡିଆମେଦିରି ସାହିରୁ ଦେଖିବାକୁ ମିଳିଛି। ୨ଜଣ ବିଧବା ନିଜ ସ୍ବାମୀଙ୍କ ହରାଇବାର ୬ ଓ ୮ବର୍ଷ ପରେ ବି ସରକାରୀ ସହାୟତା ଠିକକ୍ ପାଇ ପାରିନାହାନ୍ତି।

ବାପୁଜୀନଗରର ମଣିମା ବାଘ(୩୧)ଙ୍କ ସ୍ୱାମୀ ଗୁପ୍ତ ଖୋସ୍ଲାଙ୍କ ଆଜକୁ ୬ବର୍ଷ ତଳେ ପରଲୋକ ଘଟିଥିବାବେଳେ ଘରେ ଦୁଇଟି ଛୋଟ ଛୋଟ ଶିଶୁଙ୍କୁ ନେଇ ମଣିମାଙ୍କ ପରିବାର। ଗୁପ୍ତ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ମୃତ୍ୟୁପରେ ସଂପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି ମଣିମା। ଓଳିଏ ଖାଇଲେ ଓଳିଏ ଉପବାସରେ ଦିନ କାଟୁଛନ୍ତି। କେବଳ ପିଡିଏସ ଚାଉଳ ତାଙ୍କର ସାହାରା ପାଲଟିଛି। ମାସକୁ ମିଳୁଥିବା ୧୫କିଲୋ ଚାଉଳରେ ବହୁ କଷ୍ଟରେ ଦିନ ଅତିବାହିତ କରୁଛନ୍ତି। ଏପରିସ୍ଥଳରେ ଭତ୍ତା ଖଣ୍ଡିଏ ପାଇଁ ୪ବର୍ଷ ହେଲା ଦଉଡୁଛନ୍ତି ଯେ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ମଣିମା।

ସେଭଳି ଓଡିଆ ମେଦିରୀ ସାହିର ସମାରି ପରଜା(୩୫)ଙ୍କ ସ୍ବାମୀ ରାଜୁ ପରଜା ଗତ ୮ବର୍ଷ ତଳେ ମୃତ୍ୟୁ ହୋଇଥିଲା। ‌ଘରେ ୩ଟି ଛୁଆଙ୍କୁ ନେଇ ସମାରିର ପରିବାର। ରାଜୁହିଁ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ସମାରି ଚିନ୍ତିତ। କେବଳ ରାସନ ୨୦କିଲୋରେ ଚଳୁଛି ପରିବାର। ଓଳିଏ ଖାଇଲେ ଓଳିଏ ଉପବାସ। ମୁଣ୍ଡ ଗୁଜିଂବାକୁ ଘର ଖଣ୍ଡିକ ବି ନାହିଁ।

ଗତ ୫ବର୍ଷ ‌ହେବ ସେ ଭତ୍ତା ଓ ସରକାରୀ ‌ସହଯୋଗ ପାଇଁ ଦଉଡୁଛନ୍ତି। କେହି ବି ତାଙ୍କ ଅଭାବ ଓ ଅସୁବିଧାକୁ କର୍ଣ୍ଣପାତ କରୁନାହାନ୍ତି ବୋଲି କହିଛନ୍ତି ସମାରି। ସେହିପରି ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏବି ମିଳିପାରୁନି । ଏକ ଭଙ୍ଗା ଝାଟିମାଟି ଘରେ ବିପଦ ଶଙ୍କୁଳ ଅବସ୍ଥାରେ ବସବାସ କରୁଛନ୍ତି ସଂପୂର୍ଣ୍ଣ ପରିବାର। ଶହଶହ ସ୍ୱଚ୍ଛଳ ବର୍ଗର ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ସାମିଲହୋଇ ଦୁଇ ତିନୋଟି ଲେଖାଏଁ ଘର ହାତେଇଥିବାବେଳେ ଏହି ଗରିବ ଅସହାୟ ପରିବାରଟି ପ୍ରତି ସତେ ଯେପରି କାହାରି ଦୃଷ୍ଟି ପଡିନି । ଉଭୟଙ୍କ ସ୍ବାମୀ ମରିବା ପରେ ବି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବି ସହାୟତା ରାଶି ମିଳିନି। ପ୍ରଶାସନ ତୁରନ୍ତ ଦୃଷ୍ଟି ଦେ‌ଇ ଏହି ଦୁଇ ଅଭାବି ମହିଳାଙ୍କ ଦୁଃଖଦୁର କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର