ମାଲକାନଗିରି ଜିଲ୍ଲାପାଳ ଓଡିଶାର ନା ଆନ୍ଧ୍ର ପ୍ରଦେଶର: ପ୍ରଦୀପ ମାଝି

ଦୁର୍ନୀତିକୁ ନେଇ ଗର୍ଜିଲା କଂଗ୍ରେସ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଶିକ୍ଷା ବ୍ୟବସ୍ଥାକୁ ଏବଂ ବଣ୍ଡାଘାଟିରେ ସ୍ବଚ୍ଛ ଭାରତ ଅଭିଯାନରେ ହୋଇଥିବା କୋଟି କୋଟି ଟଂକାର ଦୁର୍ନୀତିକୁ ନେଇ ଆଜି କଂଗ୍ରେସ ଗର୍ଜିଛି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସ୍ବାଭିମାନ ଅଂଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏବଂ ବଣ୍ଡାଘାଟିରେ କିପରି ବ୍ଲକ ପ୍ରଶାସନ ସ୍ବଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଂକା ହଡପ କରିଛନ୍ତି ସେନେଇ ଗର୍ଜିଥିଲେ।

ସ୍ବାଭିମାନ ଅଂଚଳରେ ଆବାସିକ ବିଦ୍ୟାଳୟ ନିର୍ମାଣ କରିବା ନିମନ୍ତେ ଚିତ୍ରକୋଣ୍ଡାବାସୀଙ୍କ ଦାବି ମୁତାବକ ଗତ ଦୁଇ ବର୍ଷ ତଳେ ଏସଆର କମ୍ପାନି ୧ କୋଟ ୩୦ ଲକ୍ଷ ଟଂକା ମାଲକାନଗିରି ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ବାଭିମାନ ଅଂଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜିଲ୍ଲାପାଳ କୌଣସି ବିଦ୍ୟାଳୟ ନିର୍ମାଣ କରିବା ପାଇଁ ପଦକ୍ଷେପ ନନେବା ଅତି ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ। ସ୍ବାଭିମାନ ଅଂଚଳର ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକର ପିଲାମାନେ ଆନ୍ଧ୍ର ମୁହାଁ ହେଲେଣି। ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ କୌଣସି ପଦକ୍ଷେପ ନନେବ ତେବେ ଆଗାମୀ ଦିନରେ ସ୍ବାଭିମାନ ଅଂଚଳ ସଂପୂର୍ଣ୍ଣ ଭାବେ ଆନ୍ଧ୍ରର କବଜାକୁ ଚାଲିଯିବ। ତେଣୁ ଏଠାରେ ପ୍ରଦୀପ ମାଝି ପ୍ରଶ୍ନ କରିଥିଲେ ଯେ ମାଲାକନଗିରି ଜିଲ୍ଲାପାଳ ଓଡିଶାର ନା ଆନ୍ଧ୍ର ପ୍ରଦେଶର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। କୋରାପୁଟର କୋଟିଆ ଅଂଚଳ ଏବେ ଆନ୍ଧ୍ର କବଜାରେ ରହିଥିବାରୁ ଏହାକୁ ସହଜରେ ଆନ୍ଧ୍ର ସରକାର ଛାଡିବେ ନାହିଁ। ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ଆଗକୁ ଏଭଳି ପରିସ୍ଥିତି ସୃଷ୍ଟି ହେବ। ଗତ କିଛି ମାସ ତଳେ ଜିଲ୍ଲା କଂଗ୍ରେସ ଚିତ୍ରକୋଣ୍ଡା ଗସ୍ତ କରି ସେଠାରେ ଚାଲିଥିବା ସ୍ବଚ୍ଛଭାରତ ମିଶର ପର୍ଦାଫାସ କରିଥିଲା।

Sambad

ଯାହାଫଳରେ ଚିତ୍ରକୋଣ୍ଡା ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀ ନିଳମ୍ବିତ ହେଲେ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଚିତ୍ରକୋଣ୍ଡା ବାସୀ ଶୌଚାଳୟ ପାଇବାରୁ ବଂଚିତ ହେଲେ। ଜିଲ୍ଲା ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଚିତ୍ରକୋଣ୍ଡା ସମେତ ମାଲକାନଗିରିରେ ସ୍ବଚ୍ଛ ଭାରତ ମିଶନ ଫେଲ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଶ୍ରୀ ମାଝି ଯୁକ୍ତି ବାଢିଥିଲେ। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ସ୍ବାଭିମାନ ଅଂଚଳର ଲୋକଙ୍କ ପାଇଁ ପାନୀୟ ଜଳର କଷ୍ଟ ବଢିଯିବ। ସେଠାରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ଏନେଇ ଜାଣି ମଧ୍ୟ ଏହାର କୌଣସି ପ୍ରତିକାର କରୁନଥବା ନେଇ ଉଦବେଗ ପ୍ରକାଶ ପାଇଥିଲା। ସ୍ବାଭିମାନ ଅଂଚଳରେ ସ୍ବାସ୍ଥ୍ୟବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା ଯୋଗୁଁ ପ୍ରାୟତଃ ପ୍ରତିଦିନ ଅଜଣା ରୋଗର ଶିକାର ହୋଇ ଏଠାରେ ଲୋକେ ମରୁଛନ୍ତି। ସେହିପରି ଜିଲ୍ଲାର ଦୁର୍ଗମ ବଣ୍ଡାଘାଟିରେ ସ୍ବଚ୍ଛ ଭାରତ ଅଭିଯାନରେ ୧୩୯୪ ପାଇଖାନାରେ ଦୁର୍ନୀତି ହୋଇଥିବା ପ୍ରଦୀପ ମାଝି ଅଭିଯୋଗ କରିଥିଲେ। ଏଥିପାଇଁ ବିନିଯୋଗ ହୋଇଥିବା କୋଟି କୋଟି ଟଂକା ବ୍ଲକ ପ୍ରଶାସନ ମାରି ଖାଇଯାଇଥିବା ଅଭିଯୋଗ କରିଥିଲେ। ତେଣୁ ଏହାର ତଦନ୍ତ କରାଯାଇ ବିଡିଓ  ସମେତ ଏଥିରେ ସଂପୃକ୍ତ ଥିବା ସମସ୍ତ କର୍ମଚାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଥିଲା। ଆଗାମୀ ୧୫ ଦିନ ମଧ୍ୟରେ ଯଦି ଏହି ଦାବି ଗୁଡିକ ପୂରଣ କରାନଯାଏ ତେବେ ଚିତ୍ରକୋଣ୍ଡା ଅଂଚଳରେ ଆନ୍ଦୋଳନକୁ ତୀବ୍ରତର କରାଯିବା ସହ ଜିଲ୍ଲାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଆଜିର ଏହି ସାମ୍ବାଦିକ ସମ୍ମିଲନୀରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର,କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର