ବାପା ଚାଲିଯାଇଥିଲେ, ମା’ ବି ଚାଲିଗଲେ: ଘର ନାହିଁ କି କାହାର ସହଯୋଗ ନାହିଁ

ବାରିପଦା/କପ୍ତିପଦା: ପାଞ୍ଚ ବର୍ଷ ପୂର୍ବେ ବାପା ଚାଲିଯାଇଥିଲେ। ଆଉ ଏବେ ଆରପାରିରେ ମା’। ଅବେଳରେ ଅନାଥ ହୋଇଗଲେ ୪ ଭାଇ ଭଉଣୀ। ଘର କହିଲେ କାନ୍ଥ ନଥିବା ଆଜବେଷ୍ଟ୍ ପଡ଼ିଥିବା ବଖୁରିକିଆ ଘର। ଘରର ଆର୍ଥିକ ଅବସ୍ଥା ନକହିବା ଭଲ। ସହଯୋଗ ଦେବାକୁ ମଧ୍ୟ କେହି ନାହାନ୍ତି। ତଥାପି ପାଠ ପଢ଼ିବାକୁ ଦେଖାଇଛନ୍ତି ଅଦମ୍ୟ ଉତ୍ସାହ। ଏପରି ଅବସ୍ଥାରେ କିଏ ଆର୍ଥିକ ସହାୟତା ମାଗୁଥିବାବେଳେ ଏହି ୪ ଅନାଥ କିନ୍ତୁ ପାଠ ପଢ଼ିବାକୁ ସହାୟତା ଲୋଡ଼ିଛନ୍ତି। ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଏହା ହେଉଛି କପ୍ତିପଦା ବ୍ଲକ୍ ଲାବଣ୍ୟଦେଇପୁର ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନଂ-୪ କଲୋନୀସାହିରେ ରହୁଥିବା ପୁଅ ଗୋସା ସିଂ(୨୦), ଝିଅ ଲାଦୁଗୁ ସିଂ(୧୭), ଝିଅ ମାକି ସିଂ(୧୫) ଓ ପୁଅ ରାନ୍ଦ ସିଂ(୬)ଙ୍କ କରୁଣ କାହାଣୀ। ପାଞ୍ଚ ବର୍ଷ ପୂର୍ବେ ଏମାନଙ୍କ ପିତା କୋଲାଏ ସିଂଙ୍କର ଅକାଳ ମୃତ୍ୟୁ ଘଟିଥିଲା। ଆଉ ଏବେ ସେମାନଙ୍କ ମା’ ଜେମା ଆରପାରିକୁ ଚାଲିଯାଇଛନ୍ତି। ଯାହାକି ଦୁଇ ପୁଅ ଏବଂ ଦୁଇ ଝିଅଙ୍କୁ ସମ୍ପୂର୍ଣ୍ଣ ନିରାଶ୍ରୟ କରିଦେଇଛି।

ପରିସ୍ଥିତିରେ ପାଠ ପଢିବାକୁ ମନରେ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ପେଟର ଭୋକ ଏବଂ ସାନ ଭାଇ ଭଉଣୀଙ୍କୁ ଚଳାଇବା ପାଇଁ ଅଗତ୍ୟା ନିଜ ପାଠ ପଢ଼ାରେ ଡୋରୀ ବାନ୍ଧିବା ଭଳି ପରିସ୍ଥିତି ଉପୁଜିଛି ବଡ଼ ପୁଅ ଗୋସାଙ୍କର। ଅନ୍ୟମାନେ ମଧ୍ୟ ପାଠ ପଢ଼ା ବନ୍ଦ କରି ଘର ଚଳାଇବା ପାଇଁ ମୂଲ ଲାଗିବା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବଡ଼ ଭାଇ କଣ ଯେ ରୋଜଗାର କରିବ ଆଉ କେମିତି ୪ ପ୍ରାଣୀଙ୍କୁ ପୋଶିବ। ଏହା ଭାବି ସାନ ଭାଇ ଭଉଣୀମାନେ ମଧ୍ୟ ପାଠ ଛାଡ଼ି କାମ କରିବାକୁ ମନସ୍ଥ କରିଥିବା ଗୋସା ଦୁଃଖର ସହିତ କହିଛନ୍ତି। କିନ୍ତୁ ସହାୟତା ମିଳିଲେ ସେମାନେ ସମସ୍ତେ ପାଠ ପଢ଼ାକୁ ଜାରି ରଖିବେ ବୋଲି କହିଛନ୍ତି ଗୋସାଙ୍କ ସମେତ ତାଙ୍କ ଭଉଣୀ ମାକି।

ସେହିପରି ନିକଟରେ ଜଣଙ୍କ ପାଖରେ ନିଜ ପ୍ୟାଣ୍ଟ୍ ସାର୍ଟ ପାଇଁ କିଛି ଟଙ୍କା ଯୋଗାଡ଼ କରିବାକୁ ୫୦ ଟଙ୍କା ମଜୁରୀରେ ଗାତ ଖୋଳୁଥିବା ସବା ସାନ ରାନ୍ଦକୁ ଦେଖିଲେ ଯେକେହି ବି ଭାବପ୍ରବଣ ହୋଇପଡ଼ିବ। ଏମାନଙ୍କୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ମଧ୍ୟ ଜୋର୍ ଧରିଛି। ତେବେ ଏହି ବିଷୟକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ବାଳ କହିଛନ୍ତିଯେ ସମସ୍ତଙ୍କୁ ପାଠ ପଢ଼ାଇବା ନିମନ୍ତେ ବ୍ୟବସ୍ଥା କରାଯିବ। ତ୍ବରିତ ପଦକ୍ଷେପ ଭାବେ ମାକି ସିଂ’ଙ୍କୁ କପ୍ତିପଦାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆଡମିସନ ସହିତ ହଷ୍ଟେଲ୍ରେ ରହିବା ବ୍ୟବସ୍ଥା କରାଯାଇଛି।

ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ ପରେ ସମସ୍ତଙ୍କୁ ଥଇଥାନ କରାଯିବ। ଏନେଇ ସେ ସମସ୍ତ ଭାଇ ଭଉଣୀଙ୍କ ସହିତ କଥା ହୋଇଛନ୍ତି। ଘର ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯିବାନେଇ ଡିସିପିଓ ଶ୍ରୀମତୀ ବିଶ୍ବାଳ ପ୍ରକାଶ କରିଛନ୍ତି। ଭୀଷଣ ଦୁଃଖରେ ଥାଇ ମଧ୍ୟ ପାଠ ପଢ଼ା ପ୍ରତି ଏହି ୪ ଅନାଥ ଶିଶୁ ଦେଖାଇଥିବା ଆଗ୍ରହକୁ ସବୁଠିଁ ପ୍ରଶଂସା କରାଯାଇଛି।

 

ସମ୍ବନ୍ଧିତ ଖବର