ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି; ମଇ ମାସ କଂଟ ସରିଲା, ବେଆଇନ ଚିଙ୍ଗୁଡ଼ି ଘେରି ହଟିପାରିଲା ନାହିଁ 

ଚିଲିକାର ୩୦ କିମି ଦୀର୍ଘ ଉପକୂଳରେ ବେଆଇନ ଚିଙ୍ଗୁଡ଼ି ଘେରି, ଉଚ୍ଛେଦ ହୋଇଛି ମାତ୍ର ୬୦ ହେକ୍ଟର

ଖୋର୍ଦ୍ଧା: ଓଡ଼ିଶାର ଅନ୍ୟତମ ପ୍ରାକୃତିକ ଆଶ୍ଚର୍ଯ୍ୟ ଓ ଏସିଆର ବୃହତ୍‌ମ ଲୁଣା ହ୍ରଦ ଚିଲିକାରୁୁ ବେଆଇନ ଚିଙ୍ଗୁଡ଼ି ମାଫିଆ ଓ ଘେରି ଉଚ୍ଛେଦ ପାଇଁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ମଇ ମାସ କଂଟ ଦେଇଥିଲେ । ମଇ ମାସର ଅଧା ଶେଷ ହୋଇଯାଇଛି କିନ୍ତୁ ଚିଲିକା ସଂପୂର୍ଣ୍ଣ ଘେରି ମୁକ୍ତ ହୋଇପାରିନାହିଁ । ଗୋଟିଏ ପଟେ ପ୍ରଶାସନ କୋଭିଡ୍ ଆଳରେ ଉଚ୍ଛେଦ ବିଳମ୍ବ ହେଉଥିବା ଦର୍ଶାଉଥିବା ବେଳେ ଆରପଟେ ଚିଲିକାରେ ବେଧଡ଼କ ଭାବେ ଚିଙ୍ଗୁଡ଼ି ଘେରି ବଢ଼ିଚାଲିଛି ।

ସେପ୍ଟମ୍ବର ୨୦୧୭ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଭିତରକନିକା ଓ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ନେଇ ନିଜ ଆଡ଼ୁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲା ବିଚାର କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଅପ୍ରିଲ୍ ୧୩ ତାରିଖରେ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷପ ନିଆଯାଉନଥିବା ନେଇ ତାଗିଦ୍ କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପରବର୍ତୀ ଏକ ସପ୍ତାହ ମଧ୍ୟରେ ଖୋର୍ଦ୍ଧା, ପୁରୀ, ଗଂଜାମ ଜିଲ୍ଲାପାଳ, ଆଡ୍‌ଭୋକେଟ୍ ଜେନେରାଲ୍ ଏବଂ ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ସହ ଆଲୋଚନା କରି ଉଚ୍ଛେଦର ସମୟ ସୀମା ନିର୍ଦ୍ଧାରଣ କରି କୋର୍ଟଙ୍କୁ ଜଣାଇବାକୁ କହିଥିଲେ । ପ୍ରଶାସନ ପକ୍ଷରୁ ମଇ ମାସ ସୁଦ୍ଧା ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯିବ ବୋଲି କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରାଯାଇଥିଲା ।

ତେବେ ଏହା ମଧ୍ୟରେ ମଇ ମାସର ଦୀର୍ଘ ୧୫ ଦିନ ବିତିଯାଇଛି । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନରେ  ଖୋର୍ଦ୍ଧା ସୀମାରେ ଥିବା ଚିଲିକାରୁ ମାତ୍ର ୫୦-୬୦ ହେକ୍ଟର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇପାରିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କ ଠାରେ ଦିଆଯାଇଥିବା ତଥ୍ୟରେ ଚିଲିକାରେ ଗଂଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମା ମଧ୍ୟରେ ୧୨ ହଜାର ୩ଶହ ୫୭ ହେକ୍ଟର ବେଆଇନ ଚିଙ୍ଗୁଡ଼ି ଘେରି ରହିଛି । ଏହା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, ଚିଲିକା ଓ ବାଲୁଗାଁରେ ୫୮୭ ହେକ୍ଟର ବେଆଇନ ଘେରି ରହିଛି । ମାର୍ଚ୍ଚ ମାସରେ ଖୋର୍ଦ୍ଧା ପ୍ରଶାସନ ୧୦ ହେକ୍ଟର ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିଥିବା ବେଳେ ଅପ୍ରିଲ୍‌ରେ ୩୫ ହେକ୍ଟର ଓ ଚଳିତ ମାସରେ ବର୍ତମାନ ସୁଦ୍ଧା ୧୫ ହେକ୍ଟର ଘେରି ଉଚ୍ଛେଦ କରିଛି । ଯଦି ପ୍ରଶାସନ ପକ୍ଷରୁ ଏହି ଧାରାରେ ଉଚ୍ଛେଦ ଜାରି ରହେ ତେବେ ପ୍ରାୟ ୬୦୦ ହେକ୍ଟର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବାକୁ ୩୦ ମାସ ସମୟ ଲାଗିବା ସମ୍ଭାବନା ରହିଛି ।

ଚିଲିକାରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦରେ ବିଳମ୍ବ ନେଇ ପ୍ରଶାସନର ସଫେଇ ହେଉଛି ଯେ କରୋନା ସଂକ୍ରମଣ ଯୋଗୁଁ ତହସିଲଦାର, ପୁଲିସ, ଉପଜିଲ୍ଲାପାଳ ସବୁ ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ପ୍ରଶାସନ ଯେତିକି ଘେରି ଉଚ୍ଛେଦ କରି ଫେରୁଛି, କିଛି ଦିନ ବ୍ୟବଧାନରେ ପୁଣି ନୂଆ ଅଂଚଳରେ ବେଆଇନ ଘେରି ସୃଷ୍ଟି ହେଉଛି ।

ସୂଚନାଯୋଗ୍ୟ, ୧୯୯୯ରେ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ନେଇ ମାଫିଆ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏଥିରେ ପୁଲିସ ଗୁଳିରେ ସୋରଣ ଠାରେ ୫ଜଣ ମତ୍ସ୍ୟଜୀବୀ ପ୍ରାଣ ହରାଇଥିଲେ । ନୂତନ ଜିଲ୍ଲା ଗଠନ ହେବା ପରେ ୨୦୦୯ରେ ଚିଲିକାରୁ ଘେରି ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପଦକ୍ଷେପ ନିଆଯାଇଥିଲା । ୨୦୧୬ରେ ଅନୁରୂପ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ସମୟରେ ଜିଲ୍ଲା ପ୍ରଶାସନ ସୋରଣ, ବରକୁଳ ଆଦି ଅଂଚଳରେ ପ୍ରାୟ ୩୦ କିମି ଦୀର୍ଘ ଅଂଚଳରେ ବେଆଇନ ଘେରି ଥିବା ଆକଳନ କରିଥିଲା । ଏହା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ମାତ୍ର ୧୨ କିମି ଦୀର୍ଘ ଘେରିକୁ ଭଙ୍ଗାଯାଇଥିଲା ।

ସମ୍ବନ୍ଧିତ ଖବର