ପୁଲିସ ମାଡ଼ରେ କଲେଜ କର୍ମଚାରୀଙ୍କ ହାତ ଭାଙ୍ଗିଲା, ଥାନାରେ ମାମଲା

କେନ୍ଦୁଝର : କେନ୍ଦୁଝର ପୁଲିସ ମାଡ଼ରେ ଡିଡି କଲେଜର ଜଣେ କର୍ମଚାରୀଙ୍କ ହାତ ଭାଙ୍ଗିଯାଇଛି। ଏଥିନେଇ ମାମଲା ଟାଉନ ଥାନାରେ ପହଞ୍ଚିଛି । ଟାଉନ ପୁଲିସ ଏକ ମାମଲା ମଧ୍ୟ ରୁଜୁ କରିଥିବାର ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଟାଉନ ଥାନା ଅନ୍ତର୍ଗତ ରାଙ୍କି ଅଞ୍ଚଳର ଯଶବନ୍ତ ପାତ୍ର କେନ୍ଦୁଝର ଡିଡି କଲେଜରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଗତ ୨୮ ତାରିଖ ସେ କଲେଜକୁ ଏକ ବାଇକରେ ଯାଉଥିଲେ। ବଣିଆପାଟ ନିକଟରେ ପୁଲିସ ପକ୍ଷରୁ ଯାଞ୍ଚ ଚାଲିଥିଲା । ସେ ବିନା ହେଲମେଟରେ ଯାଉଥିବାରୁ ପୁଲିସ ତାଙ୍କୁ ଅଟକାଇ ଥିଲେ । ତାଙ୍କ ବାଇକକୁ ଅଟକାଇବା ପରେ ଜଣେ ପୁଲିସ କର୍ମଚାରୀ ତାଙ୍କ ବାଇକକୁ ଥାନାକୁ ନେବା ପାଇଁ ଷ୍ଟାର୍ଟ କରୁଥିଲେ । ଏହି ସମୟରେ ଶ୍ରୀ ପାତ୍ର ବାଇକର ଚାବି ନେଇ ଦୌଡି ପଳାଇଥିଲେ। ପୁଲିସ ତାଙ୍କୁ ଗୋଡ଼େଇଗୋଡ଼େଇ ଏକ ହୋଟେଲକୁ ଧରିବା ସହିତ ତାଙ୍କ ପ୍ରବଳ ମାଡ଼ ମାରିଥିଲା। ସେହି ମାଡରେ ତାଙ୍କ ହାତ ଭାଙ୍ଗି ଯାଇଥିଲା ବୋଲି ‌ସେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ ଥାନାରେ ପିସିଆର ଇନଚାର୍ଜ ଏସଆଇ ବିଶ୍ବଜିତ ବେହେରାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର