ମଙ୍ଗଳା ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର : ୩ ଗିରଫ

କାକଟପୁର : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଦର୍ଶନ ନିମନ୍ତେ ଆଜି ପୁରୀରୁ ପରିବାର ସହିତ ଆସିଥିବା ଜନୈକ ଭକ୍ତଙ୍କୁ ମନ୍ଦିର ପରିସରରେ କେତେକ ସେବାୟତ ଦୁର୍ବ୍ୟବହାର କରିଥିବା ସଂପର୍କରେ ସଂପୃକ୍ତ ଭକ୍ତ କାକଟପୁର ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାରେ ସଂପୃକ୍ତ ଥିବା ୩ ଜଣ ସେବାୟତଙ୍କୁ ଗିରଫ କରି ଆଜି ସଂଧ୍ୟାରେ କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ସେବାୟତଙ୍କ ପକ୍ଷରୁ ସଂପୃକ୍ତ ଭକ୍ତଙ୍କ ବିରୁଦ୍ଧରେ ଥାନାରେ ଦିଆଯାଇଥିବା ଅଭିଯୋଗ ଉପରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏକତରଫା ଭାବେ ସେବାୟତଙ୍କୁ ଗିରଫ କରିବା ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପୁଲିସ୍‌ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ସେବାୟତଙ୍କ ପକ୍ଷରୁ ଆସନ୍ତାକାଲି (ସୋମବାର) କେବଳ ମଙ୍ଗଳାଙ୍କ ନୀତିକାନ୍ତି କରାଯିବ, ମାତ୍ର ମା ମଙ୍ଗଳାଙ୍କ ପୂଜା ଓ ଦର୍ଶନ କାର୍ଯ୍ୟରେ ଭକ୍ତମାନଙ୍କୁ ସହଯୋଗ କରାଯିବ ନାହିଁ ବୋଲି ସେବାୟତଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର