ରୋଚକ ସ୍ଥିତିରେ ପିପିଲି ଆସନ : ଏଥର କିଏ? ମହାରଥୀ ନା…

କଂଗ୍ରେସ ପାଇଁ ଆଶାୟୀ ମାଳ ମାଳ, ବିଜେପି ଖୋଜୁଛି ଯୋଗ୍ୟ ପ୍ରାର୍ଥୀ।

ପୁରୀ, (ଗଦାଧର ପଣ୍ଡା): ପୁରୀ ଲୋକସଭା କ୍ଷେତ୍ରର ରାଜନୈତିକ ସମ୍ବେଦନଶୀଳ ବିଧାନସଭା କ୍ଷେତ୍ର ପିପିଲି। ଏହି ଆସନକୁ ନେଇ ଆରମ୍ଭରୁ ରୋଚକ ସ୍ଥିତି ସୃଷ୍ଟି ହେଲାଣି। ଲଗାତାର ପାଞ୍ଚ ଥର ଜିତିଥିବା ପ୍ରଦୀପ ମହାରଥୀ ପୁଣି ଥରେ ଜିତିବେ? ବିେଜଡି ପ୍ରାର୍ଥୀ ବଦଳାଇବ କି? ଲଗାତାର ନିର୍ବାଚନ ହାରୁଥିବା କେଂଗ୍ରସ ଏଥର ରଣନୀତି ପରିବର୍ତନ କରିବ? ବିେଜପିକୁ େକତେ ଫାଇଦା ମିଳିବ? ଏସବୁ ପ୍ରଶ୍ନ ଉପରେ ତୃଣମୂଳସ୍ତରରେ କର୍ମୀମାେନ ତର୍ଜମା ଚଳାଇଛନ୍ତି।

ଗତ ୩୫ ବର୍ଷର ପିପିଲି ବିଧାନସଭା ଇତିହାସକୁ ପର୍ଯ୍ୟାଲୋଚନା କଲେ ଏଠାରେ ଭୋଟର କଂଗ୍ରେସକୁ ୬ ଥର ପ୍ରତ୍ୟାଖାନ କରିଛନ୍ତି। ୧୯୯୫ରେ ମାତ୍ର ୫ ବର୍ଷ ପାଇଁ କଂଗ୍ରେସ ଏହି ଆସନ ଦଖଲ କରିଥିଲା। ବହୁ ବାଦ ବିବାଦ ସତ୍ତ୍ବେ ଭୋଟର ମହାରଥୀକୁ ଲଗାତର ବିଜୟ ମୁକୁଟ ପିନ୍ଧାଇ ଆସୁଛନ୍ତି। ମହାରଥୀ ୧୦ ବର୍ଷ ଜନତା ଦଳରୁ ଓ ୨୦ବର୍ଷ ଅର୍ଥାତ ୨୦୦ରୁ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ୨୦୧୨ରେ ବେବିନା ଗଣଦୁଷ୍କର୍ମ ଘଟଣାକୁ ନେଇ ମହାରଥୀ ଅଡୁଆରେ ପଡିଥିଲେ। ମନ୍ତ୍ରୀ ପଦ ଯାଇଥିଲା। ପୁନର୍ବାର ୨୦୧୪ରେ ସେ ବିଜୟୀ ହୋଇଥିଲେ। ୨୦୧୮ରେ ସମାନ ପ୍ରସଙ୍ଗକୁ ନେଇ ଅଡୁଆରେ ମହାରଥୀ। ଏହି ମାମଲା ରାୟ ପ୍ରକାଶ ପରେ ତାଙ୍କ ମନ୍ତବ୍ୟ ପୁଣି ଥରେ ମନ୍ତ୍ରୀ ପଦ ଖାଇଛି। ଏପରି ପରିସ୍ଥିତିରେ ୨୦୧୯ ଫଳାଫଳକୁ ନେଇ ସବୁ ମହଲରେ ଉତ୍କଣ୍ଠା ଲାଗି ରହିଛି। କେହି େକହି ଏହି ଆସନ ଜଣେ ମହିଳାଙ୍କୁ ଦିଆଯିବ ବୋଲି କହୁଥିବା ବେଳେ ଏ େକ୍ଷତ୍ରରେ ତାଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ନାମକୁ ନେଇ ଆଲୋଚନା ହେଉଛି। ସେହିଭଳି ତାଙ୍କ ପୁଅର ନାମକୁ ନେଇ ମଧ୍ୟ ଗୋଟିଏ ଗୋଷ୍ଠୀ ଆେଲାଚନା କରୁଛନ୍ତି। ଏହାବ୍ୟତୀତ ବିଜେଡି ନେତ୍ରୀ ଡେଲାଙ୍ଗ ଅଞ୍ଚଳର ସନ୍ଧ୍ୟାରାଣୀ ପ୍ରଧାନଙ୍କ ନାମ ବି ଚର୍ଚ୍ଚାରେ।

କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ଗତ ୨୫ ବର୍ଷ ହେବ ମହାରଥୀଙ୍କ ସହିତ ସମ୍ମୁଖ ପ୍ରତିଦ୍ବନ୍ଦ୍ବିତାର ଅବତୀର୍ଣ୍ଣ ହେଉଛନ୍ତି। କଂଗ୍ରେସ ଏଠାରେ କିନ୍ତୁ ଏଯାଏ ପ୍ରାର୍ଥୀ ବଦଳାଇନାହିଁ କିମ୍ବା ଯୁଧିଷ୍ଠିରଙ୍କ ଉପରୁ ବିଶ୍ବାସ ତୁଟାଇନାହିଁ। ଏଥର ବି ଯୁଧିଷ୍ଠିର ଟିକେଟ ଦୌଡରେ ଅଛନ୍ତି ଓ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ତେବେ କଂଗ୍ରେସ ଏଠାରେ ଜଣେ ନୂଆ ମୁହଁ କଥା ଚିନ୍ତା କରୁଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏହିଭଳି ପରିସ୍ଥିତିରେ କଂଗ୍ରେସରୁ ଯୁବ ନେତା ତଥା ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, ଅଜିତ ମଙ୍ଗରାଜ, ଜ୍ଞାନ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ନାମ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛି।

ଅନ୍ୟପକ୍ଷରେ ପିପିଲିରେ କଂଗ୍ରେସ ଓ ବିଜେଡି ମଧ୍ୟରେ ସବୁବେଳେ ପ୍ରତିଦ୍ବନ୍ଦ୍ବିତା ହେଉଥିବାରୁ ବିଜେପିରୁ ଆଶ୍ରିତ ପଟ୍ଟନାୟକଙ୍କ ନାମ ଚର୍ଚ୍ଚାରେ ରହିଛି। ଗତ ଥର ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ୧୮ ହଜାର ଭୋଟ ପାଇଥିବାରୁ ତାଙ୍କୁ ବିଜେପି ପ୍ରଥମ ପସନ୍ଦ ଭାବେ ନେଇପାରେ। ଏହାବ୍ୟତୀତ ପ୍ରଫୁଲ୍ଲ ଗଜେନ୍ଦ୍ର, ବିକାଶ ପଟ୍ଟନାୟକଙ୍କ ନାମ ଚର୍ଚ୍ଚାରେ ରହିଛି।

୨୦୧୪ ନିର୍ବାଚନ ଫଳାଫଳ

ଦଳ              ପ୍ରମୁଖ ପ୍ରାର୍ଥୀ            ଭୋଟ
ବିଜେଡି       ପ୍ରଦୀପ ମହାରଥୀ        ୮୨,୫୫୦
କଂଗ୍ରେସ     ଯୁଧିଷ୍ଠିର ସାମନ୍ତରାୟ     ୪୯,୦୭୬
ସ୍ବାଧୀନ      ଆଶ୍ରୀତ ପଟ୍ଟନାୟକ       ୧୮,୦୦୦
ବିଜେପି      ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ର    ୭୬୫୬

ସମ୍ବନ୍ଧିତ ଖବର