ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ମିଲରେ ଚଢଉ ଜଣେ ଗିରଫ 

ଭଞ୍ଜନଗର: ଅପମିଶ୍ରଣକାରୀଙ୍କ ବିରୋଧରେ ପୁଲିସ୍ ପୁରା ଆକ୍ସନ୍ ମୁଡ଼ରେ ରହିଛି। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ସ୍ଥାନରେ ଚଢଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଆଜି ଭଞ୍ଜନଗର ଥାନା ଅଧୀନ ଏନ୍ଏସି ରୋଡ଼ ଗଳିରେ ଥିବା ଏକ ମିଲ୍ ଉପରେ ପୁଲିସ୍ ପକ୍ଷରୁ ଚଢଉ କରାଯାଇଛି। ସେଠାରେ ହଳଦୀ ଏବଂ ଲଙ୍କାଗୁଣ୍ଡକୁ ଅପମିଶ୍ରିତ କରି ମିଲିଂ କରାଯାଉଥିବା ଅଭିଯୋଗରେ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଚଢଉ କରି ଜଣଙ୍କୁ ଗିରଫ କରିବା ସହ ହଳଦୀ ଗୁଣ୍ଡ,ଚାଉଳ ଗୁଣ୍ଡ,ଲଙ୍କା ଗୁଣ୍ଡ ସହିତ ମେସିନ୍ ଏବଂ ଓଜନ ଯନ୍ତ୍ରକୁ ଜବତ କରିଛି। ଏନେଇ କେସ୍ ନମ୍ବର ୨୫୨/୨୧ ରେ ଦଫା ୨୭୧,୨୭୩,୪୨୦ ଏବଂ ଖାଦ୍ୟ ସୁରକ୍ଷା ଓ ମାନ ନିୟମ ସହ ଟ୍ରେଡ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି। ଅପମିଶ୍ରଣ କରୁଥିବା ଅଭିଯୋଗରେ ବାବୁରାମ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏସ୍ଆଇ ମନସ୍ବିନୀ ମହାନ୍ତି ବିଶ୍ବସ୍ତ ସୁତ୍ରୁର ଖବର ପାଇ ଏହି ମିଲ୍ରେ ଚଢଉ କରିଥିଲେ। ସେଠାରେ ହଳଦୀରେ ଚାଉଳ ମିଶାଇ ମିଲିଂ କରାଯାଉଥିବା ଦେଖିବାକୁ ପାଇ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କୁ ଖବର ଦେଇଥିଲେ। ସଦଳବଳେ ସେଠାରେ ପହଞ୍ଚି ୧୫୦ କେଜି ହଳଦୀ ଗୁଣ୍ଡ, ୧୧୩ ଗୋଟି ୧ କେଜି ପ୍ୟାକେଟର ଲଙ୍କାଗୁଣ୍ଡ, ୨୩ ଗୋଟି ୨୫୦ ଗ୍ରାମ୍ ଲଙ୍କାଗୁଣ୍ଡ, ୩ ପ୍ୟକେଟ୍ ୨୫ କେଜିର ଚାଉଳ ଗୁଣ୍ଡ, ୩୫ କେଜି ଗୋଟା ହଳଦୀ, ୨୫ କେଜିର ୨ ଗୋଟି ଚାଉଳ ପ୍ୟକେଟ୍, ପ୍ୟାକିଂ ଯନ୍ତ୍ର, ଓଜନ ଯନ୍ତ୍ର ଜବତ କରିଛନ୍ତି।

ଲୁଚା ଛପାରେ ପ୍ରତିଦିନ ବ୍ୟବାହାର ହେଉଥିବା ଖାଦ୍ୟ ସାମଗ୍ରୀର ନକଲି ଜିନିଷ ବେଧଡ଼କ ପ୍ରସ୍ତୁତ ଚାଲୁଛି। ଦିନକୁ ଦିନ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ସଂଖ୍ୟା ବଢିବାରେ ଲାଗିଛି। ଟଙ୍କା ଦେଇ ଲୋକ ଖାଦ୍ୟ ସାମଗ୍ରୀ ନାମରେ ବିଷ କିଣୁଛନ୍ତି। ଲୋକଙ୍କ ସ୍ବାସ୍ଥକୁ ହାନୀ ପହଞ୍ଚାଇଲା ଭଳି ସାମଗ୍ରୀ ଖୁଲମ ଖୁଲା ବଜାରରେ ବିକ୍ରି ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। ବିଶେଷ କରି କରୋନା ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଭୁଶୁଡି ପଡିଥିବା ସମୟରେ ଦରଦାମ ବୃଦ୍ଧିର ଫାଇଦା ଉଠାଇବା ପାଇଁ ବହୁ ଅସାଧୁ ବ୍ୟବସାୟୀ ଅପମିଶ୍ରଣ କରି ଅତ୍ୟାବଶ୍ୟକ ସାମଗ୍ରୀ ବଜାରକୁ ଛାଡୁଛନ୍ତି। କିଛି ଛୋଟ ମୋଟ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ୍ ଚୁପ ବସିଥିବା ବେଳେ ବଡ଼ ଧରଣର ଅପମିଶ୍ରଣ ରାକେଟ୍ ଚଲାଇଥିବା ମୁନାଫାଖୋର ବ୍ୟବସାୟୀଙ୍କୁ ମଧ୍ୟ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର