ମୟୂରଭଞ୍ଜରେ ଫିକା ପଡ଼ିଲା ରଜ ସରାଗ; ଘରେ ଘରେ ରଜ ପାଳିଲେ, ଦୋଳିରେ ଝୁଲିଲେ

କ୍ରମାଗତ ଦ୍ଵିତୀୟ ବର୍ଷ ପାଇଁ ଘର ମଧ୍ୟରେ ସୀମିତ ରହିଲା ରଜ; ରଜ ପାନକୁ ମନ ଝୁରିଲା

ବାରିପଦା: କ୍ରମାଗତ ଦ୍ଵିତୀୟ ବର୍ଷ ପାଇଁ ଘର ମଧ୍ୟରେ ସୀମିତ ରହିଲା ଓଡ଼ିଶାର ଗଣପର୍ଵ ଭାବେ ପରିଚିତ ରଜ ପାଳନ। କରୋନା ମହାମାରୀ କାରଣରୁ ବାହାରେ ଦୋଳି ଲଗାଇ ରଜ ପାଳନ ଉପରେ ଅଙ୍କୁଶ ଲାଗିଛି। ତେଣୁ ନୂଆ ଡ୍ରେସ ପିନ୍ଧା ହୋଇଥିଲେ ମଧ୍ୟ ଘରେ ରହି ରଜ ପାଳନ କରିଥିଲେ ଶିଶୁଙ୍କ ଠାରୁ ଆରମ୍ଭ କରି ସମସ୍ତେ। ମୟୂରଭଞ୍ଜର ଗ୍ରାମାଞ୍ଚଳରେ ରଜକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ଗାଁ ଗହଳିରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। କିଶୋର କିଶୋରୀ ମାନେ ଗାଁ ବଗିଚାରେ ଲଗାଯାଇଥିବା ଦୋଳିରେ ଝୁଲି ଖୁସି ହୁଅନ୍ତି। ମାତ୍ର ଚଳିତ ବର୍ଷ ମଧ୍ୟ ମହାମାରୀ କାରଣରୁ ଏହି ଖୁସିରୁ ବଞ୍ଚିତ ହୋଇଛନ୍ତି ସମସ୍ତେ। ସେହିପରି ବାରିପଦା ସହରରେ ରଜ ଅବସରରେ ଭଳିକି ଭଳି ରଜ ପାନର ସମ୍ଭାର ଜମିଥାଏ।

ମାତ୍ର ଚଳିତ ବର୍ଷ କିନ୍ତୁ କରୋନା ଜନିତ ସଟଡାଉନ କାରଣରୁ ରଜ ପାନ ବିକ୍ରି ନାହିଁ। ତେବେ କିଛି କିଛି ବ୍ୟବସାୟୀ କିନ୍ତୁ ଚଳିତ ଥର ଅନଲାଇନରେ ରଜ ପାନ ବିକ୍ରୀ କରି ଲୋକଙ୍କୁ ସାମାନ୍ୟ ଖୁସି ଦେବାର ପ୍ରୟାସ କରିଛନ୍ତି। ସେହିପରି ନୂଆ ନୂଆ ଡ୍ରେସ ପିନ୍ଧି ରଜ ପାଳନ କରିବାକୁ ଲକ୍ଷ୍ୟ ରଖିଥିବା କିଶୋର କିଶୋରୀ ମାନଙ୍କୁ ନିରାଶ ହେବାକୁ ପଡିଛି। ଘରେ ରହି ହିଁ ରଜ ପାଳନର ଆନନ୍ଦକୁ ଅନୁଭବ କରିଛନ୍ତି ସେମାନେ। ଘରେ ଲାଗିଥିବା ଦୋଳି ହିଁ ସାଜିଛି ସାହାରା। ଗାଁ ଗହଳିରେ କାଁ ଭାଁ ଘର ପାଖରେ ହିଁ ଦୋଳି ଲାଗିଛି। ମାତ୍ର ଗହଳି ମନା। ତେଣୁ ସାଙ୍ଗ ସାଥୀଙ୍କ ସହିତ ମିଶିକି ଦୋଳି ଖେଳିବା ଭାଗ୍ୟରେ ଜୁଟିନି। କରୋନା କାରଣରୁ ରଜ ପର୍ବ ପାଳନ ଉପରେ ଯେମିତି ଗ୍ରହଣ ଲାଗିଯାଇଛି।

ସମ୍ବନ୍ଧିତ ଖବର