ଛୋଟବେଳର ଅଭିନେତା ହେବା ସ୍ବପ୍ନକୁ ବଲିଉଡରେ ଯାଇ ପୂରା କଲେ ଆଦିବାସୀ ଯୁବକ

ବାରିପଦା: ଦୃଢ ମନୋଭାବ ଓ ଉଚ୍ଚାଭିଳାଷ ଆଗରେ ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକ ହାରମାନେ ବୋଲି କଥାରେ ଅଛି।  ଆଉ ଏହାକୁ ସତ କରି ଦେଖାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ଖନ୍ତ ଗାଁର ରାମ ସିର୍କା । ଛୋଟ ବେଳୁ  ଅଭିନେତା ହେବାର ସ୍ୱପ୍ନ ଥିଲା , ଆଉ ଏବେ ସେହି ସ୍ୱପ୍ନ ହିଁ  ରାମ ସିର୍କାଙ୍କୁ ବିଜାତଳାରୁ ବଲିଉଡକୁ ପହଞ୍ଚାଇ ପାରିଛି।

ମାୟାନଗରୀର ମାୟାଜାଲକୁ ଭେଦ କରି ବଲିଉଡରେ ପାଦ ଥାପି ପାରିଛନ୍ତି ମୟୁରଭଞ୍ଜର ଆଦିବାସୀ ଯୁବକ ରାମ ସିର୍କା । ପିଲାଟି ଦିନରୁ ଅଭିନେତା ହେବାର ଭୋକ ଆଜି ତାଙ୍କୁ ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ନଗରୀରେ ପରିଚୟ ଦେଇଛି । ମୁମ୍ବାଇରେ ଅଜଣା ଅଚିହ୍ନା ଥିବା ରାମ ସିର୍କା ମାର୍ଶାଲ ଆର୍ଟ ପ୍ରଶିକ୍ଷଣ ଦେଉଥିଲେ । ବଲିଉଡ ଅଭିନେତା ଓ ତାଙ୍କ ପରିବାର ଲୋକଙ୍କୁ ମାର୍ଶାଲ ଆର୍ଟ ଟ୍ରେନିଂ ଦେଉ ଦେଉ ବଲିଉଡକୁ ଲମ୍ଫ ମାରିଛନ୍ତି ରାମ ।

ଜଣେ ଆକ୍ଟର, ଆକ୍ସନ ମାଷ୍ଟର, ସେଲିବ୍ରିଟି ଫିଟନେସ୍ ଟ୍ରେନର ଭାବରେ ମୁମ୍ବାଇରେ ପରିଚିତ ରାମ ସିର୍କା । ଅଭିନେତା ପ୍ରଭୁଦେବା ଓ ସଲମାନ ଖାନଙ୍କ ସହ ସାକ୍ଷାତ ପରେ ତାଙ୍କ ଜୀବନ ବଦଳି ଯାଇଛି । ୨୦୧୬ ପରଠାରୁ ଗୋଟିଏ ପରେ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ସେ ।

ଏହାସହ ବଲିଉଡ ଅଭିନେତାଙ୍କ ଫିଟନେସ ଟ୍ରେନର ଭାବେ ମଧ୍ୟ ସେ ନିଯୁକ୍ତି ପାଇଛନ୍ତି । ଏହାରି ଭିତରେ ହିନ୍ଦୀ ଚଳଚ୍ଚିତ୍ର “ମର୍ଦ କୋ ଦର୍ଦ ନେହିଁ ହୋତା”,“ଦବଙ୍ଗ୍-୩”ରେ ରାମଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି ଦର୍ଶକ । “ଶିବାସ ରିଡେମ୍ପସନ”, “ଦି କୁମ୍ଫୁ ମାଷ୍ଟର” ଏବଂ “ଆକ୍ସନ ହିରୋ ବୁଜୁ”ରେ ଆକ୍ସନ ଜାଲୱା ଦେଖାଇଛନ୍ତି ରାମ ସିର୍କା । ଏହାସହ ଏକାଧିକ ରିଏଲିଟି ସୋ ଓ ଧାରାବାହିକରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛନ୍ତି ଏହି ଆଦିବାସୀ ଯୁବକ ।

ରାମ ସିର୍କାଙ୍କ ଦୃଢ ମନବଳ ଓ ଉଚ୍ଚାଭିଳାସ ଆଗରେ ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ମଧ୍ୟ ହାର ମାନିଛି । ଆସନ୍ତା ମେ ୧୩ ଇଦ୍ ଉପଲକ୍ଷେ ମୁକ୍ତି ଲାଭ କରିବାକୁ ଯାଉଥିବା ସଲମାନ ଖାନଙ୍କ ହିନ୍ଦୀ ଚଳଚିତ୍ର “ରାଧେ”ରେ ଏକ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି ରାମ ସିର୍କା ।

ସମ୍ବନ୍ଧିତ ଖବର