ଗୁଣପୁର ଉକୁମ୍ବାଗୁଡ଼ା ହତ୍ୟାକାଣ୍ଡ ଘଟଣା: ଚାରି ମୁଖ୍ୟ ଅଭିଯୁକ୍ତ ସହ ୯ ଗିରଫ

ରାୟଗଡ଼ା: ଗୁଣି-ଗାରେଡି ସନ୍ଦେହରେ ଚଳିତ ମାସ ୨୩ ତାରିଖରେ ୩ ଜଣଙ୍କୁ ହତ୍ୟା କରାଯିବା ଘଟଣାରେ ପୁଲିସ ଗୁରୁବାର ୯ ଜଣଙ୍କୁ ଗିରଫ କରିଛି। ଗିରଫ ମାନଙ୍କ ମଧ୍ୟରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ସାମିଲ ତିବା ପୁଲିସ ସୂଚନା ଦେଇଛି।

ହତ୍ୟାକାଣ୍ଡ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ବାବୁଲା ସବର, ରବି ସବର, ବୁଲୁ ସବର, ଅଜିତ ସବର ଓ ଶଙ୍କର ସବର, ସହଯୋଗୀ ଅଭିଯୁକ୍ତ କମଳ ଲୋଚନ ସବର, ଫୁଲ ସବର, ମାଳତୀ ସବର ଓ ପୂର୍ଣ୍ଣତୟା ସବରକୁ ଗିରଫ କରିଛି। ହତ୍ୟା ପରେ ମୃତଦେହକୁ ପୋଡ଼ିବା ପାଇଁ ବ୍ୟବହାର କରିଥିବା ୨ଟି ବାଇକ ଜବତ ହୋଇଛି। ଅଭିଯୁକ୍ତ ମାନେ ୩ ଜଣଙ୍କୁ ହତ୍ୟା କରିବା ପରେ ରାତିରେ ପୋଡ଼ି ଦେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ପାଉଁଶକୁ ପୋଖରିରେ ପକାଇ ଦେଇଥିଲେ।

ଘଟଣା ଦିନ ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ସମେତ ଅନ୍ୟ ଜଣ (୭୬ ବର୍ଷିୟ) ବୃଦ୍ଧାକୁ ର୍ନିମମ ଭାବେ ହତ୍ୟା କରା ଯାଇଥିଲା। ଉକୁମ୍ବାଗୁଡା ବଡ ସାହିରେ ରହୁଥିବା ଗୋପାଳ ସବର (୪୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ସବର (୪୦)ଙ୍କୁ ରାତି ୧୦ଟା ସମୟରେ ଘରୁ ବାହାରକୁ ଟାଣିନେଇ ଗାଁ ଦାଣ୍ଡ ବାବୁ ଦେବତା ପାଖରେ ହତ୍ୟା କରିଥିଲେ। ଗାଁ ଲୋକ ପ୍ରାୟ ୩୦ ରୁ ୪୦ ଲୋକ ଏକାଠି ହୋଇ ଏକ କ୍ରିକେଟ ବ୍ୟାଟରେ ପିଟିପିଟି ହତ୍ୟା କରିଥିବା ମୃତ ଗୋପାଳଙ୍କ ଝିଅ ଶୋବିତା ସବର କହିଥିଲେ। ଏହା ସମେତ ଗାଁର ୭୬ ବର୍ଷର ବୃଦ୍ଧା ଜାଙ୍ଗିଲି ସବରଙ୍କୁ ମଧ୍ୟ ସେମାନେ ଏହି ଅଭିଯୋଗରେ ହତ୍ୟା କରିଥିବା ଶୋବିତା ଅଭିଯୋଗ ଆଣିଥିଲେ।

ପରିବାର ପକ୍ଷରୁ ସୋମବାର ଥାନାରେ ଏତଲା ଦେବା ପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲା ଏହି ଘଟଣା ପୁର୍ବରୁ ଗାଁ ରେ ଜଣେ ରୋଗାକ୍ରାନ୍ତ ହୋଇ ମରିଯିବା ପରେ ଗାଁ ଲୋକଙ୍କ ଭିତରେ ଏହି ସନ୍ଦେହ ଜାତ ହୋଇଥିଲା। ଯେଉଁଥି ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରିଥିଲା। ଘଟଣା ଘଟିବା ରାତିରେ ଘରେ ଗୋପାଳ ସବରଙ୍କ ୧୧ ବର୍ଷିଅ ପୁଅ ଉପସ୍ଥିତ ଥିଲା।

ସମ୍ବନ୍ଧିତ ଖବର