କେବେ ଗଡ଼ିବ ପାସେଞ୍ଜର୍‌ ଟ୍ରେନ୍‌? ସମସ୍ୟାରେ ୩ ରାଜ୍ୟର ଯାତ୍ରୀ

ହୀରାଖଣ୍ଡ, ଜୁନାଗଡ଼, ରାଜ୍ୟରାଣୀ ଏକ୍ସପ୍ରେସ୍ ବନ୍ଦ
ବସ୍‌ରେ ଯାତ୍ରାରେ କଷ୍ଟ ସହୁଛନ୍ତି ଭିନ୍ନକ୍ଷମ, ବୟସ୍କ

ରାୟଗଡ଼ା : କରୋନା ପରଠୁ କେଆର୍ (କୋରାପୁଟ-ରାୟଗଡ଼ା) ରେଳପଥରେ ବନ୍ଦ ଥିବା ଟ୍ରେନ୍ ସେବା ଆଜି ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନି। ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼ ୩ ରାଜ୍ୟ ପାଇଁ ଗୁରୁତ୍ବ ରଖୁଥିବା ୧୧ରୁ ଊର୍ଦ୍ଧ୍ବ ପ୍ରମୁଖ ଟ୍ରେନ୍ ବନ୍ଦ ରହିଥିବାରୁ ଦୈନିକ ଲକ୍ଷାଧିକ ଯାତ୍ରୀ ସେବାରୁ ବଞ୍ଚିତ ହେଉଛନ୍ତି। ଟ୍ରେନ୍ ନଥିବା କାରଣରୁ ବସ୍‌ରେ ଯାତାୟାତ କରୁଥିବା ରୋଗୀ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଓଡ଼ିଶାର କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ପାଇଁ ଲାଇଫ୍ ଲାଇନ୍ ପାଲଟିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ଷେ ହେଲା ଚଳାଚଳ ବନ୍ଦ ରହିଛି। ଏହି ଟ୍ରେନ୍ ଛତିଶଗଡ଼ର ଜଗଦଲପୁରରୁ ବାହାରି କୋରାପୁଟ, ରାୟଗଡ଼ା, ବିଜୟନଗରମ, ବ୍ରହ୍ମପୁର, ଖୋର୍ଦ୍ଧା ଷ୍ଟେସନ ଦେଇ ଭୁବନେଶ୍ବରରେ ପହଞ୍ଚୁଥିଲା। ଫଳରେ ୩ ରାଜ୍ୟର ୧୦ ଜିଲ୍ଲାବାସୀ ଉପକୃତ ହେଉଥିଲେ। ଅକ୍ଟୋବର ପରଠାରୁ କରୋନା ସ୍ଥିତିରେ ସୁଧାର ଆସିଥିଲେ ସୁଦ୍ଧା ହୀରାଖଣ୍ଡ ନିଜ ରୁଟ୍‌ରେ ଗଡ଼ିବା ନେଇ ରେଳ ବିଭାଗ ସବୁଜ ସଙ୍କେତ ଦେଉନି। ବହୁଦାବି ପରେ କୋରାପୁଟ-ଭୁବନେଶ୍ବର ମଧ୍ୟରେ ସପ୍ତାହକୁ ୩ ଦିନ ସ୍ବତନ୍ତ୍ର ଟ୍ରେନ୍‌କୁ ସରକାର ଚଳାଚଳ କରୁଛନ୍ତି। ତାହା ପୁଣି ସମ୍ବଲପୁର-ଅନୁଗୁଳ-କଟକ ଦେଇ। ଫଳରେ ଏହି ଟ୍ରେନ୍ ଉପରେ ନିର୍ଭର କରୁଥିବା ଆନ୍ଧ୍ରର ବିଜୟନଗରମ, ଶ୍ରୀକାକୁଲମ୍ ସମେତ ଗଞ୍ଜାମ ଜିଲ୍ଲାବାସୀ ଭୁବନେଶ୍ବରକୁ ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି।

ସେହିପରି ଦକ୍ଷିଣ-ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ବ ରଖୁଥିବା ଜୁନାଗଡ଼-ଭୁବନେଶ୍ବର, ଗୁଣପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ଚଳାଚଳ ବନ୍ଦ ରହିଛି। କେଆର୍ ରୁଟ୍‌ରେ ଗଡ଼ୁଥିବା ଅନ୍ୟ ତିନି ପ୍ରମୁଖ ଟ୍ରେନ୍ ଜଗଦଲପୁର-ରାଉରକେଲା, ଜଗଦଲପୁର-ହାୱଡ଼ା, ଦୁର୍ଗ-ଜଗଦଲପୁର ଏକ୍ସପ୍ରେସ୍ ଚଳାଚଳ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଅନ୍ୟପକ୍ଷରେ ରାୟଗଡ଼ା ଦେଇ ଚଳାଚଳ କରୁଥିବା ଟାଟା-ଯଶବନ୍ତପୁର-ଆଲେପି, ଧାନବାଦ-ଆଲେପି ଟ୍ରେନ୍ ପ୍ରତିଦିନ ବଦଳରେ ଏବେ ସପ୍ତାହକୁ ଗୋଟିଏ ଦିନ ଚାଲୁଛି। ରାୟଗଡ଼ା-ବିଶାଖାପାଟଣା ଡିଏମୟୁ, ଗୁଣପୁର-ବିଶାଖାପାଟଣା, ଗୁଣପୁର-ପାଲାସା ତିନି ପାସେଞ୍ଜର ଟ୍ରେନ୍ ଚଳାଚଳ ନେଇ ଅନୁମତି ମିଳିପାରୁନି। ଫଳରେ, ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର