ରାସ୍ତା ଅବରୋଧ: ଯାଇପାରୁନି ଜରୁରୀକାଳୀନ ଗାଡ଼ି, ପ୍ରଶାସନ ନିରବଦ୍ରଷ୍ଟା

କିଶନନଗର: କଟକ ଜିଲ୍ଲାର କିଶନନଗର ତହସିଲ ଅଞ୍ଚଳରେ ବିଭିନ୍ନ ରାସ୍ତାକୁ ଅବରୋଧ କରାଯାଇଥିବା ଦେଖିବାକୁ ମିଳୁଛି। ଏଥିଯୋଗୁଁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଯିବା ନେଇ ଆଶଙ୍କା ପ୍ରକାଶ ପାଇଥିଲେ ବି ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, କିଶୋରନଗର ହୁଲିପୁର ବ୍ରାହ୍ମଣସାହି ରାସ୍ତାପାର୍ଶ୍ବରେ ସୁରକ୍ଷା ପାଚେରୀ ନିର୍ମାଣ କରାଯାଉଛି। ଏହି ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ବାଲି ଓ ଗୋଡ଼ି ରାସ୍ତା ଉପରେ ଗଦା କରାଯାଇଛି। ଫଳରେ ୧୫ରୁ ଅଧିକ ଦିନ ହେଲା ରାସ୍ତାଟି ସମ୍ପୂର୍ଣ୍ଣ ଅବରୋଧ ହୋଇରହିଛି। ଏହି ରାସ୍ତାରେ ୩ ଓ ୪ ଚକିଆ ଗାଡ଼ି ଯାଇପାରୁ ନ ଥିଲା ବେଳେ ସାଇକଲ୍‌ ଓ ବାଇକ୍‌ ଆରୋହୀମାନେ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ସେହିପରି ସାମନ୍ତରାପୁର ରାସ୍ତାର କଚ୍ଚା ଅଂଶକୁ କଂକ୍ରିଟ କରିବା ପାଇଁ ଦୁଇ ପାର୍ଶ୍ବ ଖୋଳା ଯାଇଛି। ଏଥିସହ ରାସ୍ତାର ଦୁଇ ମୁଣ୍ଡରେ ବାଉଁଶ ବାନ୍ଧି ୮ଦିନ ହେଲା ଅବରୋଧ କରାଯାଇଛି। ଦୁଇ ରାସ୍ତାର ଏପରି ଅବସ୍ଥା ଯୋଗୁଁ ଜରୁରୀକାଳୀନ ଗାଡ଼ି କିପରି ଆସିବ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।

ଉଲ୍ଲେଖଯୋଗ୍ୟ, କିଶନନଗର ତହସିଲ ଅଧୀନ ସୋମପୁର ପଞ୍ଚାୟତର ପାଲାମଣ୍ଡପ ସାହୁସାହି ରାସ୍ତାରେ ମାଟି ପକାଇ ଅବରୋଧ କରାଯାଇ ଥିଲା। ଫଳରେ ଠିକ୍‌ ସମୟରେ ଆମ୍ବୁଲାନ୍ସ ସେବା ନ ପାଇ ଗତ ୨୨ତାରିଖ ସନ୍ଧ୍ୟାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣା ପରେ ବି ରାସ୍ତା ଅବରୋଧ ନେଇ ପ୍ରଶାସନ ନିରବଦ୍ରଷ୍ଟା ସାଜି ଥିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ରାସ୍ତା ଅବରୋଧକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର