ଓମ୍ବାଡସି ପାଣ୍ଠି ସହାୟତାରେ ରାସ୍ତା ସଂଯୋଗୀକରଣ: କେନ୍ଦୁଝରରେ ସୁଗମ ହେଉଛି ଦୁର୍ଗମ ଗାଁ

୩ ବ୍ଲକରେ ନିର୍ମାଣ ହୋଇଛି ୨୨୪. ୦୪ କିଲୋମିଟରର ରାସ୍ତା

ଭୁବନେଶ୍ୱର/କେନ୍ଦୁଝର: ରାସ୍ତା ହେଉଛି ସାଧାରଣ ଲୋକଙ୍କ ଜୀବନରେଖା। ଗ୍ରାମାଞ୍ଚଳ ଗୁଡ଼ିକୁ ବିକାଶର ମୁଖ୍ୟ ଧାରା ସହିତ ଯୋଡ଼ିବାରେ ଏହା ପ୍ରମୁଖ ମାଧ୍ୟମ ପାଲଟିଛି। ତେଣୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମକୁ ସରକାର ପ୍ରାଥମିକତା ଦେଉଛନ୍ତି। ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାର ଅନେକ ଦୁର୍ଗମ ଗାଁକୁ ଏହି ସଂଯୋଗୀକରଣ କାର୍ଯ୍ୟକ୍ରମ ଆଜି ସୁଗମ କରି ପାରିଛି। ବଣ ପାହାଡ଼ଘେରା ଜିଲ୍ଲା କେନ୍ଦୁଝର। ଏଠାରେ ଭୌଗୋଳିକ ପ୍ରତିବନ୍ଧକ ଥିବା ଅନେକ ଗାଁ ରହିଛି। ଏହିସବୁ ଗାଁକୁ ମୁଖ୍ୟସ୍ରୋତ ସହିତ ଯୋଡ଼ିବା ଲାଗି ପ୍ରଶାସନ ପକ୍ଷରୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ବା ଓମ୍ବାଡସି ପାଣ୍ଠି ସହାୟତାରେ
ନୂତନ ସେତୁ ଓ ରାସ୍ତା ନିର୍ମାଣ କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ସଶକ୍ତ ହୋଇ ପାରୁଛି। ‘ଓମ୍ବାଡସି ପାଣ୍ଠି ସହାୟତାରେ କେନ୍ଦୁଝର ଜିଲ୍ଲାରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ଭିତରେ ରାସ୍ତା ସଂଯୋଗୀକରଣ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରାସ୍ତା ଏବଂ ସେତୁ ନିର୍ମାଣ ହେବା ଯୋଗୁଁ ଆଜି ଲୋକମାନେ ବିଭିନ୍ନ ସୁବିଧା ସୁଯୋଗ ପାଇ ପାରୁଛନ୍ତି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଧିବାସୀ ମାନଙ୍କ ଜୀବନ ଧାରଣ ମାନରେ ବିଶେଷ ଉନ୍ନତି ଆଣିବାରେ ସହାୟକ ହୋଇଛି’, କହିଛନ୍ତି କେନ୍ଦୁଝର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ। କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, ବାଂଶପାଳ ଏବଂ ଝୁମ୍ପୁରା- ଏହି ୩ଟି ବ୍ଲକରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ଚାଲିଛି। ମୋଟ ୨୬୨.୩୨ କିଲୋମିଟର ଭିତରୁ ବର୍ତ୍ତମାନ ସୁଦ୍ଧା ୨୨୪.୦୪ କିଲୋମିଟରର ନୂତନ ରାସ୍ତା ନିର୍ମାଣ ଶେଷ ହୋଇଛି।

Sambad

ଫଳରେ ୩୪ଟି ଗ୍ରାମ ପଞ୍ଚାୟତର ୧୪ ହଜାରରୁ ଅଧିକ ଲୋକ ବିଶେଷ ଉପକୃତ ହେଉଛନ୍ତି। ବାକି ରାସ୍ତା ନିର୍ମାଣ କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି। ସେହିପରି ବାଂଶପାଳ ବ୍ଲକର ନୟାକୋଟ ଗ୍ରାମ ପଞ୍ଚାୟତରେ ବିଭିନ୍ନ ନାଳ ଉପରେ ନିର୍ମାଣ କରାଯାଇଛି। ମୋଟ ୧୯୫.୩୯ ମିଟର ଲମ୍ବର ତିନୋଟି ସେତୁ। ଏହା ମୁଖ୍ୟ ରାସ୍ତା ସହିତ ସଂଯୋଗ ହୋଇଥିବାରୁ ୭ଟି ଗାଁର ୩ ହଜାର ୮୦୦ରୁ ଅଧିକ ଲୋକଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆସି ପାରିଛି। ‘ଆଗରୁ ଆମ ଗାଁକୁ ଭଲ ରାସ୍ତା ନଥିବାରୁ ଯିବା ଆସିବାରେ ବହୁତ ଅସୁବିଧା ହେଉଥିଲା। ଏବେ ପାହାଡ଼ କାଟି ରାସ୍ତା ହୋଇଛି। ଫଳରେ ଆମେ ସୁବିଧାରେ ଡାକ୍ତରଖାନାକୁ ଯାଇ ପାରୁଛୁ। ଆମ ପିଲାମାନେ ସ୍କୁଲକୁ ଯାଇ ପାରୁଛନ୍ତି। ଗାଡ଼ି ମଟର ଚାଲିବା ଫଳରେ ଆମେ ସହରକୁ ମଧ୍ୟ ଯାଇ ପାରୁଛୁ’, କହନ୍ତି ବାଂଶପାଳ ବ୍ଲକ ଲୁଙ୍ଗାଝର ଗ୍ରାମର ବେଣୁଧର ଦନାଏକ। ‘ଆମ ଗାଁକୁ ବିଭିନ୍ନ ନାଳ ଘେରି ରହିଛି।

Sambad

ବର୍ଷା ଦିନ ହେଲେ ଆମେ ଗାଁରୁ ବାହାରକୁ ଯାଇପାରୁ ନଥିଲୁ। ଏବେ ନାଳ ଉପରେ ପୋଲ ତିଆରି ହୋଇଛି। ଆମେ ସୁବିଧାରେ ସବୁଆଡ଼େ ଯାଇ ପାରୁଛୁ। ଯିବା ଆସିବାରେ ଆଉ ଆଗଭଳି ଅସୁବିଧା ହେଉନାହିଁ’, କହନ୍ତି ନୟାକୋଟ ଗ୍ରାମପଞ୍ଚାୟତର ଅଧିବାସୀ ସୁମତୀ ନାଏକ। ଏହି ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ଯୋଗୁଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଦୁର୍ଗମ ଗାଁ ମୁଖ୍ୟ ବଜାର ବା ସହରାଞ୍ଚଳ ସହିତ ଯୋଡ଼ି ହୋଇ ପାରିଛି। ଫଳରେ ସ୍ଥାନୀୟ ଅଧିବାସୀ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସେବା ପାଇ ପାରୁଛନ୍ତି। ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ରାସ୍ତା ଏବଂ ସେତୁ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଯିବା ଆସିବା ସୁବିଧାଜନକ ହୋଇ ପାରିଛି। ସାଧାରଣ ପରିବହନ ବ୍ୟବସ୍ଥାରେ ଗାଁକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି। ଫଳରେ ପାଖ ବଜାର ସହ କମ୍ ସମୟ ଭିତରେ ସ୍ଥାନୀୟ ଚାଷୀ ଓ ବ୍ୟବସାୟୀ ସିଧାସଳଖ ଯୋଡ଼ି ହୋଇ ପାରୁଛନ୍ତି। ଏହି ସଂଯୋଗୀକରଣ କାର୍ଯ୍ୟକ୍ରମ ସେମାନଙ୍କ ଜୀବିକା ପାଇଁ ବ୍ୟାପକ ସୁଯୋଗ ଆଣିଦେଇଛି।

ସମ୍ବନ୍ଧିତ ଖବର