ରକ୍ତଦାନ କରି ୩ବର୍ଷ ଶିଶୁର ଜୀବନ ବଂଚାଇଲେ ସାଇଲତା

ଜୟପୁର: ଜଣେ ସିକିଲ୍ ସେଲ୍ ଆକ୍ରାନ୍ତ ୩ବର୍ଷର ଶିଶୁର ଅଚାନକ ରକ୍ତରେ ହିମୋଗ୍ଲୋବିନ୍ କମିଯିବା ଫଳରେ ରକ୍ତହୀନତାର ଶିକାର ହେବା ସହ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଜୀବନ ମରଣ ସହ ସଂଘର୍ଷ କରୁଥିବା ଏହି ପିଲାଙ୍କୁ ରକ୍ତଦେଇ ମାନବିକତାର ପରିଚୟ ଦେଇଛନ୍ତି ସ୍ଥାନୀୟ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଏମପିଏମଆଇଆର ପଢ଼ୁଥିବା ଛାତ୍ରୀ ସାଇଲତା ପଟ୍ଟନାୟକ। ଲମତାପୁଟର ୩ବର୍ଷର ପିଲା ଜିଞାସୁ ଖିଲ ସିକିଲସେଲରେ ଆକ୍ରାନ୍ତ। ରକ୍ତହୀନତା ହେବା ମାତ୍ରକେ ସେ ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥାନ୍ତି। ତାଙ୍କୁ ଓ ପଜିଟିଭ୍ ରକ୍ତର ଆବଶ୍ୟକତା ପଡ଼ିଥାଏ।

ଏଥରକ ଭର୍ତ୍ତି ହେବା ପରେ ଚିକିତ୍ସା କରୁଥିବା ଡାକ୍ତର ତୁରନ୍ତ ଗୋଟିଏ ୟୁନିଟ୍ ରକ୍ତଦେବାକୁ କହିଥିଲେ। ପରିବାରବର୍ଗ ରକ୍ତଭଣ୍ଡାରକୁ ଯାଇଥିଲେ ହେଁ ସେଠାରେ ମିଳିପାରିନଥିଲା। ପରିବାର ବର୍ଗ ଜୟପୁର ରକ୍ତଦାନ ଗୃପର ଜଣେ ସ୍ବେଚ୍ଛାସେବୀଙ୍କୁ ଏ ନେଇ ଅନୁରୋଧ କରିଥିଲେ। ଉକ୍ତ ସ୍ବେଚ୍ଛାସେବୀ ଜଣକ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀନିବାସରେ ରହି ପାଠ ପଢ଼ୁଥିବା କୋଟପାଡ କୁଂଜବିହାରୀ ପଟ୍ଟନାୟକଙ୍କ ଝିଅ ସାଇଲତାଙ୍କୁ ଅନୁରୋଧ କରିଥିଲେ।

ପିଲାର ଏଭଳି ଅବସ୍ଥା ସଂପର୍କରେ ଜାଣିବା ପରେ ସାଇଲତା ଜୟପୁର ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତଦାନ କରି ଜଣକର ଜୀବନ ବଂଚାଇ ପାରିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ। ୧୮ବର୍ଷ ହେବା ମାତ୍ରକେ ଜଣକର ଜୀବନ ବଂଚାଇବା ପାଇଁ ଆଗେଇ ଆସି ମହା ଆନନ୍ଦ ଲାଭ କରିବାକୁ ସାଇଲତା ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର